ଶବଦାହ ପାଇଁ କାଠ ନାହିଁ, ମୃତଦେହ ରଖି ଡି.ଏଫ .ଓ ଅଫିସ ସମ୍ମୁଖରେ ଧାରଣା
ବରଗଡ଼(ଉଲାପ୍ର)
ଶବଦାହ ପାଇଁ ବରଗଡ଼ ସହରରେ କାଠ ଅଭାବ ଦେଖାଦେଇଛି। ଫଳରେ ଶବଦାହ ପାଇଁ ଲୋକଙ୍କୁ ହଟହଟା ହେବାକୁ ପଡୁଛି। ଏ ସମ୍ପର୍କରେ ବାରମ୍ବାର ସ୍ଥାନୀୟ ବନଖଣ୍ଡ ଅଧିକାରୀ (ଡିଏଫ୍ଓ) ଏବଂ ଜିଲ୍ଲା ପ୍ରଶାସନ କୁ ଅବଗତ କଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଅସନ୍ତୋଷ ବଢ଼ି ଚାଲିଛି। ପ୍ରତିବାଦ ରେ ଆଜି ବରଗଡ଼ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଜଣେ ଅଜଣା ଲୋକଙ୍କ ମୃତଦେହ ରଖି ଡିଏଫ୍ଓ ଅଫିସ ସମ୍ମୁଖରେ ଧାରଣା ବସିଥିଲେ। ଗତ ତିନିଦିନ ତଳେ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧାନ ଅବସ୍ଥାରେ ସମ୍ପୃକ୍ତ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ମୃତଦେହକୁ ପୋଲିସ ଡାକ୍ତରଖାନା ଫ୍ରିଜରରେ ରଖା ଯାଇଥିଲା। ମୃତକଙ୍କ ଶବଦାହ ପାଇଁ ପୋଲିସ ସୂଚନା ଦେବା ପରେ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଡାକ୍ତରଖାନା ଫ୍ରିଜରରୁ ଆଣିଥିଲେ। ତେବେ କାଠ ପାଇଁ ସ୍ବେଚ୍ଛାସେବୀମାନେ ଗତକାଲି ବନ ବିଭାଗ କର୍ମଚାରୀଙ୍କୁ ଜଣାଇଥିଲେ। ମାତ୍ର କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଏହାର ପ୍ରତିବାଦରେ ମୃତଦେହକୁ ଡିଏଫ୍ଓ ଅଫିସରେ ରଖି ଧାରଣାରେ ବସିଥିଲେ। ଅଜଣା ଲୋକଙ୍କ ଶବଦାହ ପାଇଁ ମାଗଣାରେ କାଠ ଯୋଗାଇ ଦେବା ପାଇଁ ସେମାନେ ଦାବି କରିଛନ୍ତି। ଦୃଢ଼ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ସ୍ବେଚ୍ଛାସେବୀମାନେ ଚେତାବନୀ ଦେଇଛନ୍ତି। ଏହି ଅନୁଷ୍ଠାନର ସମ୍ପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ସାହୁଙ୍କ ନେତୃତ୍ୱରେ ସ୍ବେଚ୍ଛାସେବୀମାନେ ଏଥିରେ ସାମିଲ ହୋଇଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































