ଜଗନ୍ନାଥଙ୍କ ଘରେ ଘାଉଡ଼,ମନ୍ଦିର ଭିତରୁ ଚନ୍ଦନ ଚୋର କାଟିନେଲେ ପାଞ୍ଚଲକ୍ଷ ଟଙ୍କାର ଚନ୍ଦନ ଗଛ
ଆଠଗଡ(ଉଲାପ୍ର)ଆଠଗଡ ର ଆରାଧ୍ୟ ଦେବ ଅଟ୍ଟାଳି ଜଗନ୍ନାଥଙ୍କ ଘରେ ଘାଉଡ଼।ମନ୍ଦିର ଭିତରେ ଥିବା ପନ୍ଦର ବର୍ଷର ଚନ୍ଦନ ଗଛକୁ କାଟି ନେଇଛନ୍ତି ଚନ୍ଦନ ତସ୍କର,ଯାହାର ଆନୁମାନିକ ମୂଲ୍ୟ ପାଂଚଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।ଅଟ୍ଟାଳି ଜଗନ୍ନାଥଙ୍କ ଦୈନ ଦିନ ଚନ୍ଦନ ସେବାପାଇଁ ଏହି ଚନ୍ଦନ ଗଛ ପନ୍ଦର ବର୍ଷ ତଳେ ଲଗାଯାଇଥିଲା, ଗଛଟି ମଧ୍ୟ ହୃଷ୍ଟପୃଷ୍ଟ ହୋଇ ବଢିଥିଲା।ହେଲେ ଇତି ମଧ୍ୟରେ ଚନ୍ଦନ ତସ୍କରଙ୍କ ଆଖି ଆଠଗଡ ଜଗନ୍ନାଥ ମନ୍ଦିର ଭିତରେ ଥିବା ଚନ୍ଦନ ଗଛ ଉପରେ ପଡିଥିଲା।ଗତକାଲି ରାତିରେ ଚନ୍ଦନ ତସ୍କର ମାନେ ଉତ୍ତର ପଟ ମନ୍ଦିର ପାଚେରୀ ଡେଇଁ ଚନ୍ଦନ ଗଛକୁ ମୂଳରୁ କାଟି ନେଇଛନ୍ତି।ଡାଳ ଗୁଡିକୁ ମନ୍ଦିର ଭିତରେ ପକାଇ ଦେଇଛନ୍ତି।ଆଜି ସକାଳୁ ଏହି ଘଟଣା ଜଣା ପଡିବା ପରେ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଘଟଣା ସମ୍ପର୍କରେ ଆଠଗଡ ଉପଜିଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, ଏ ସମ୍ପର୍କରେ ଆଠଗଡ ଦେବୋତ୍ତର ବିଭାଗ ତରଫରୁ ଆଠଗଡ ଥାନାରେ ମାମଲା ରୁଜୁ କରାଯାଇଛି।କରୋନା ମହାମାରୀ ଯୋଗୁ ଯେତେବେଳେ ରାତ୍ରିକାଳୀନ କର୍ଫୁ ଜାରି କରାଯାଇଛି ସେ ସମୟରେ ଆଠଗଡ ଥାନା ଠାରୁ ଅଳ୍ପ ଦୂରରେ ଥିବା ଜଗନ୍ନାଥ ମନ୍ଦିର ଭିତରୁ ଚନ୍ଦନ ଗଛ ଚୋରିଯିବା ଘଟଣା ଆଠଗଡ ପୋଲିସ ପାଇଁଚିନ୍ତା ବଢ଼ାଇ ଦେଇଛି,ତା ହେଲେ ଆଠଗଡ ପୋଲିସ ରାତ୍ରିକାଳୀନ ପେଟ୍ରୋଲିଙ୍ଗ କରୁନଥିବା ସ୍ପଷ୍ଟ ବାରି ହୋଇ ପଡୁଛି।ଘଟଣା ସ୍ଥଳକୁ ଆଠଗଡ ପୋଲିସ ଆସି ତଦନ୍ତ କରି ଫେରି ଯାଇଛି।ଗତକିଛି ବର୍ଷ ହେଲା ଆଠଗଡ ଆଖପାଖ ଗ୍ରାମ ଗୁଡିକରେ ଥିବା ମନ୍ଦିର ମାନଙ୍କରେ ଲଗାଯାଇଥିବା ଅନେକ ଚନ୍ଦନ ଗଛ ଚୋରି ହୋଇଥିଲେ ମଧ୍ୟ ପୋଲିସ କୌଣସି ଚନ୍ଦନ ତସ୍କରଙ୍କୁ ଧରିବାରେ ସଫଳ ହୋଇନାହିଁ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































