ବେହେରା ଠାରେ ବୁଣାକାର ବଜାର ଉଦଘାଟିତ
ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ବ୍ଲକ ଅନ୍ତର୍ଗତ ବେହେରା ଠାରେ (ବାଏଲଯୁରୀ ବଜାର) ବୁଣାକାର ମାନଙ୍କ ପାଇଁ ସ୍ବତନ୍ତ୍ର ବଜାରର ନବ ନିର୍ମାଣ କୋଠା ଆଜି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଦ୍ବାରା ଉଦଘାଟିତ ହୋଇଯାଇଛି। ରାଜ୍ୟ ସରକାର ଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ର ପିଓଏଚଆଇ ଯୋଜନା ରେ ୯କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ୧.୬୭ ଏକର ଜମି ରେ ନିର୍ମିତ ଏହି କୋଠାରେ ଶତାଧିକ ବୁଣାକାର ମାନେ ତାଙ୍କ ବ୍ୟବସାୟ କରିପାରିବେ। ତେବେ ଆସନ୍ତା ଦିନରେ ଜିଲ୍ଲା ର ବୁଣାକାର ଭାଇ ଭଉଣୀ ମାନଙ୍କ ସକାଶେ ଆଉ ଏକ ଅତ୍ୟାଧୁନିକ ବୁଣାକାର ବଜାର ନିର୍ମିତ ହେବ ବୋଲି ମୁଖ୍ୟ ଅତିଥି କହିଥିଲେ। ଏଥିପାଇଁ ରାଜ୍ୟ ସରକାର ୬.୨୯ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ଏଥିପାଇଁ ୨.୦୯ ଏକର ଜମି ମଧ୍ୟ ଯୋଗାଇ ଦେଇଛନ୍ତି। ରାଜ୍ୟ ସରକାର ଙ୍କ ହସ୍ତତନ୍ତ ଓ ବୟନ ଶିଳ୍ପ,ହସ୍ତ ଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଜେପୁର ବିଧାୟିକା ରୀତା ସାହୁ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ହସ୍ତତନ୍ତ ବିଭାଗ ସ୍ବତନ୍ତ୍ର ସଚିବ ସରୋଜ ଚନ୍ଦ୍ର ପଟେଲ ମଞ୍ଚାସୀନ ଥିଲେ। ସଭା କୁ ଓରମାସର ଉପ କାର୍ଯ୍ୟ ନିର୍ବାହୀ ରାଜ ଗୋପାଳ ଦାସ ପରିଚାଳନା କରିଥିବା ବେଳେ ହସ୍ତତନ୍ତ ବିଭାଗ ର ଉପ ନିର୍ଦ୍ଦେଶକ ଶିଶିର ନାଗ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































