ଦାରିଙ୍ଗବାଡ଼ି ବ୍ଲକ ରେ ବାଜିଲା ପଞ୍ଚାୟତ ନିର୍ବାଚନୀ ବିଗୁଲ ୩ ପ୍ରମୁଖ ଦଳ ନିର୍ବାଚନ ପାଇଁ ସଜବାଜ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ପଞ୍ଚାୟତ ନିର୍ବାଚନ ପାଇଁ ବିଧବଦ୍ଧ ତାରିଖ ଘୋଷଣା ପରେ ବ୍ଲକ ଓ ଗାଁ ରାଜନୀତି ଏବେ ଜୋର ଧରିଛି । ବ୍ଲକସଦର ମହକୁମା ସହିତ ଅଞ୍ଚଳର ସିମନବାଡି, ବୁଡ଼ାଗୁଡା, କିରିକୁଟି, ବାଡାବାଙ୍ଗା, ଦାସିଙ୍ଗବାଡ଼ି, ସିକରମାହା, ଗଦାପୁର, ଵ୍ରହ୍ମଣୀଗାଁ ଓ କାଟିଙ୍ଗିଆ ବଜାରରେ ବିଭିନ୍ନ ରାଜନୈତିକ ଦଳର କର୍ମୀଙ୍କ ସମାଗମ ଦେଖିବାକୁ ମିଳିଛି। ତେବେ ସମର୍ଥିତ ପ୍ରାର୍ଥୀ ଚୟନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି । ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବା ପ୍ରଥମ ଦିନ ରହିଛି। ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀ ସେମାନଙ୍କର ଛବି ଆରମ୍ଭ କରିଛନ୍ତି । ଦାରିଙ୍ଗବାଡ଼ି ବ୍ଲକର ୨୫ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟସଭ୍ୟା ଓ ୨ଟି ଜିଲ୍ଲା ପରିଷଦ ଜୋନ୍ ଲାଗି ଆସନ୍ତା ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ। ଜିଲ୍ଲା ପରିଷଦ ସଭ୍ୟ ପଦ ଲାଗି ନାମାଙ୍କନ ପତ୍ର ଦାଖଲ ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ। ସେଭଳି ସମିତିସଭ୍ୟ ପଦବୀ ପାଇଁ ବ୍ଲକ ବିଡିଓଙ୍କ ଠାରେ ଓ ସରପଞ୍ଚ ପଦ ଲାଗି ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ ହେବ। ଚଳିତ ନିର୍ବାଚନରେ ବ୍ଳକର ୮୦ ହଜାର ୫ ଶହ ୬୧ ମତଦାତା ସେମାନଙ୍କ ମତ ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୧ ହଜାର ୭ ଶହ ୩୯ ମହିଳା ଥିବା ବେଳେ ୩୮,୮୦୯ ପୁରୁଷ ଭୋଟର ଓ ମାତ୍ର ୧୩ ଜଣ କିନ୍ନର ଭୋଟର ମତଦାନରେ ଅଂଶଗ୍ରହଣ କରିବେ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାରମ୍ଭରୁ ଏହି ବ୍ଲକରେ କଂଗ୍ରେସ ୨ଟି ଜିଲ୍ଲା ପରିଷଦ ପଦକୁ ହାତେଇ ଆସିଛି। ଚଳିତ ନିର୍ବାଚନରେ କିନ୍ତୁ ଜିଲାପରିଷଦ ପଦକୁ ବିଜେଡି କିଭଳି ହାତେଇ ଇତିହାସ ରଚିବ ସେଥିପାଇଁ ଜୋରଦାର ଉଦ୍ୟମ କରୁଛି। ଏପଟେ ବିଭିନ୍ନ ଗ୍ରାମରେ ଶାସକ ଦଳର ବିଧାୟକଙ୍କ କାର୍ଯ୍ୟ କଳାପରେ ଆକୃଷ୍ଟ ହୋଇ କଂଗ୍ରେସ ,ବିଜେପି ଛାଡ଼ି ବିଜେଡିରେ ସାମିଲ ହେଉଛନ୍ତି । ଏପଟେ କଂଗ୍ରେସ ଓ ବିଜେପି ମଧ୍ୟ ମିଶ୍ରଣ ପର୍ବ ଜାରି ରଖୁଛନ୍ତି। ଦାରିଙ୍ଗବାଡ଼ି ବ୍ଲକରେ ଦୁଇଟି ଜିଲ୍ଲା ପରିଷଦ ଜୋନ୍ ରହିଛି। ଗତ ନିର୍ବାଚନରେ ୧୦ନଂ ଜୋନ୍କୁ କଂଗ୍ରେସ ହାତେଇଥିବା ବେଳେ ୧୧ନଂ ଜୋନ୍ରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହୋଇଥିଲେ ମଧ୍ୟ ଏହାକୁ ମଧ୍ୟ କଂଗ୍ରେସ ହାତେଇ ନେଇଥିଲା। ତେଣୁ ଚଳିତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଗଡ଼ ସୁରକ୍ଷିତ ରଖିବାକୁ କଂଗ୍ରେସ ଅଣ୍ଟା ଭିଡ଼ିଛି। ସେଭଳି ବିଜେପି ଗତ ନିର୍ବାଚନରେ ତୃତୀୟ ସ୍ଥାନରେ ଥିଲେ ମଧ୍ୟ ଚଳିତ ବର୍ଷ ଜିତିବାର ଆଶା ରଖିଛି। ତେବେ ଶାସକ ଦଳ ସବୁ ବର୍ଗର ଭୋଟରଙ୍କୁ ଆକର୍ଷିତ କଲା ଭଳି ମାଳ ମାଳ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟକୁ ନେଇ ବିଜେଡି ପଞ୍ଚାୟତ ପାଖରେ ପହଞ୍ଚାଇ ଜିତିବାର ରଣନୀତି ପ୍ରସ୍ତୁତ କରିଛି। ସେହିପରି ଚଳିତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବିଗତ ସାଧାରଣ ନିର୍ବାଚନର ଫଳାଫଳକୁ ଦୋହରାଇବା ପାଇଁ ରଣନୀତି ଆପଣାଇ ଥିବା ବେଳେ ବିଜେପି ଚଳିତ ବର୍ଷ କୌଣସିମତେ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରୟାସ ଜାରି ରଖିଛି । ଏପଟେ ଦାରିଙ୍ଗବାଡ଼ି ବ୍ଲକରେ ବିଜେଡି ଆରମ୍ଭରୁ ଥରୁଟିଏ ମଧ୍ୟ ଜିଲ୍ଲା ପରିଷଦ ପଦ ଅକ୍ତିଆର କରିପାରିନି । ଚଳିତ ବର୍ଷ ୨ଟି ଜିଲ୍ଲା ପରିଷଦ ଜୋନ୍ଙ୍କୁ ନିଜ ଅକ୍ତିଆରରେ ଆଣିବାକୁ ଜୋରଦାର ପ୍ରୟାସ ଆରମ୍ଭ କରି ଦେଇଛି। ଏହି ଯୋଜନାରେ ୨ଟି ଜିଲ୍ଲା ପରିଷଦ ପଦକୁ ବିଜେଡି ହାତକୁ ଯିବ ବୋଲି ଅନୁମାନ କରାଯାଇଛି । ଯେହେତୁ ସ୍ଥାନୀୟ ବିଧାୟକ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚାଇ ଲୋକଙ୍କର ନିକଟତର ହୋଇ ଥିବା ବେଳେ ସାଂସଦଙ୍କ ସେହି ଭଳି ଆଖିଦୃଶିଆ କାମ କିଛି ହୋଇ ନଥିବାବି ଚର୍ଚ୍ଚା ଜୋର ଧରିଛି। ତେବେ ପ୍ରାର୍ଥୀ ଚୟନ ନେଇ କଂଗ୍ରେସ, ବିଜେପିରେ ଅଙ୍କ କଷା ଜୋର ଚାଲିଥିବା ବେଳେ ଶାସକ ବିଜେଡିର ଏକାଧିକ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ୍ ଲାଗିଥିବା ଜଣାପଡ଼ିଛି। ବିଜେପି କେନ୍ଦ୍ର ସରକାରଙ୍କ ଯୋଜନା ଗୁଡ଼ିକୁ ଫୋକସ୍ରେ ନେବା ସହ ଲୋକଙ୍କ ପାଖରେ ପହଞ୍ଚି ନିର୍ବାଚନ ବୈତରଣୀ ପାରି ହେବାକୁ ଲକ୍ଷ୍ୟ ରଖି ଥିବାବେଳେ କଂଗ୍ରେସ କୁ ଏହି ଥର ବହୁ ସଙ୍ଗର୍ଷ କରିବାକୁ ପଡିବ ବୋଲି ଆଲୋଚନା ଜୋର ଧରିଥିବା ଜଣା ପଡ଼ିଛି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































