ଆଉ ଦିନକ ପରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ,ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ
ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ତାରିଖ ରୁ ଅନୁଷ୍ଠିତ ହେବ l ସେଥିପାଇଁ କନ୍ଧମାଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚିଛି l ଆସନ୍ତା ୧୬ତାରିଖରେ କନ୍ଧମାଳ ଜିଲ୍ଲାର କ. ନୂଆଁଗାଁ ଏବଂ ବାଲିଗୁଡା ବ୍ଲକ ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ l ବାଲିଗୁଡା ବ୍ଲକ ର ୧୪ ପଞ୍ଚାୟତରେ ୧୮୩ ବୁଥ ଓ କ. ନୂଆଁଗାଁ ବ୍ଲକର ୧୪ ପଞ୍ଚାୟତର ୧୭୭ଟି ବୁଥ ପାଇଁ ପ୍ରିଜାଇଡିଙ୍ଗ ଅଫିସର, ପୁଲିଙ୍ଗ ଅଫିସର ମାନେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ କ.ନୁଆଗାଁ ବ୍ଲକ୍ ପରିସରରେ ପହଁଚି ନିଜ ନିଜ ବୁଥ୍ ପାଇଁ ବାଲେଟ ବକ୍ସ ସମେତ ସମସ୍ତ ଆସବାବ ପତ୍ର ସଂଗ୍ରହ କରି ନିଜ ନିଜ ବୁଥ୍ ଅଭିମୁଖେ ବାହାରିଛନ୍ତି l ବାଲିଗୁଡ଼ା ବ୍ଲକର ୧୨୬ଟି ବୁଥ୍ ସମ୍ବେଦନଶୀଳ ଥିବାବେଳେ କ.ନୁଆଗାଁ ବ୍ଲକର ୧୭ ଟି ବୁଥ୍ କୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ସମ୍ବେଦନଶିଳ ବୁଥ୍ ଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ଏଥିସହିତ ବାଲିଗୁଡା ବ୍ଲକ୍ ଓ କ.ନୁଆଗାଁ ବ୍ଲକରେ ପ୍ରଥମଥର ପାଇଁ ପିଙ୍କ୍ ବୁଥର ଆୟୋଜନ କରିଛି ପ୍ରଶାସନ l ଏହି ପିଙ୍କ୍ ବୁଥରେ ସମସ୍ତ ମହିଳା କର୍ମଚାରୀଙ୍କୁ ନିର୍ବାଚନ କିର୍ଯ୍ୟରେ ନିୟୋଜିତ କରାଯାଇଛି । ରାଜ୍ୟ ନିର୍ବାଚନ କମିଶନର ଙ୍କ ନିୟମ ଅନୁସାରେ କୋଭିଡ୍ କଟକଣା ମଧ୍ୟରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ଜାରୀ ରହିବ ଏବଂ ଭିନ୍ନକ୍ଷମ ବ୍ୟକ୍ତି ଓ କରୋନା ପଜିଟିଭ ବ୍ୟକ୍ତି ମାନଙ୍କ ଲାଗି ମଧ୍ୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି l ଅନ୍ୟ ପକ୍ଷରେ ବାଲିଗୁଡା ଅଞ୍ଚଳରେ ମାଓବାଦୀ ଙ୍କ ତରଫରୁ ମାଓ ପୋଷ୍ଟର ବ୍ୟାନର ଲଗାଯାଇଥିବା ଯୋଗୁଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଦୁଇଟି ବ୍ଲକରେ ଜଣେ ଜଣେ ଅତିରିକ୍ତ ଏସପିଙ୍କ ସମେତ ଆବଶ୍ୟକ ଅନୁଯାୟୀ ଅଫିସର ଓ ପୋଲିସ୍ ଫୋର୍ସ ନିୟୋଜିତ କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟ ପରିସରରେ ବାଲିଗୁଡ଼ା ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ,ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀ, ତହସିଲଦାର ଶଶାଙ୍କ ପାତ୍ର ପ୍ରମୁଖ ଅଧିକାରୀ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥାକୁ ଅନୁଧ୍ୟାନ କରୁଥିବାବେଳେ କ.ନୁଆଗାଁ ବ୍ଲକରେ ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ମଧୁସୂଦନ ବେହେରା,ବିଡ଼ିଓ ଶରତ କୁମାର ପାତ୍ର ପ୍ରମୁଖ ରହି ସମସ୍ତ କାର୍ଯ୍ୟର ତଦାରଖ କରୁଛନ୍ତି । ସେପଟେ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ା କଡ଼ି କରାଯିବା ସହ କନ୍ଧମାଳ ଏସପି ଭିନିତ୍ ଅଗ୍ରଓ୍ବାଲ ଦୁଇଟି ବ୍ଲକ୍ ବୁଲି ସମସ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶାନ୍ତି ଶୃଙ୍ଖଳା ସହ ଭୋଟ୍ ଗ୍ରହଣ ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି ।
 
         
             Odia
 Odia 













































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































