୧୧ କେ ଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ମୃତ୍ୟୁ
ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଟାଉନ ଥାନା ଅଧୀନସ୍ଥ କଲାପାଣି ଛକ ନିକଟସ୍ଥ ଚାଷଜମି ଉପରେ ଛିଣ୍ଡି ପଡିଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆଜି ସକାଳୁ ଏସ ସେତରାଜୁ ନାମକ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଏସ ସତରାଜୁ(୬୫) କଲାପାଣି ଛକରେ ରହୁଥିଲେ। ସେ ଜମି ହିଡକୁ ଘାସ କାଟିବାକୁ ଯାଉଥିଲେ। ତେବେ ସେ ଜମି ହିଡରେ ଛିଣ୍ଡି ପଡି ଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ଏବଂ କର୍ତ୍ତବ୍ୟରେ ଅବହେଲା କରିଥିବା ବିଦ୍ୟୁତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ଉତ୍ତ୍ୟକ୍ତ ଲୋକେ କଲାପାଣି ଛକରେ ସମ୍ବଲପୁର ବରଗଡ଼ ୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































