ବଜରଙ୍ଗ-ଭୀମ ଆର୍ମି କର୍ମୀ ମୁହାଁ ମୁହିଁ, ଉତ୍ତେଜନା ପ୍ରକାଶ
ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ଗତକାଲି ସନ୍ଧ୍ୟାରେ ସବୁଠି ହନୁମାନ ଜୟନ୍ତୀ ଏବଂ ଆମ୍ବେଡ଼କର ଜୟନ୍ତୀ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଉଥିବା ବେଳେ ବରଗଡ଼ ଜିଲ୍ଲାର ଗୋଡ଼ଭଗା ବଜରଙ୍ଗ ଦଳ ଏବଂ ଭୀମଆର୍ମି ଦଳର କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା । ବାଇକ୍ ଭଙ୍ଗାରୁଜା ସହିତ ମାଡ଼ପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା। ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଥିବା ଯୋଗୁ ଅତାବିରାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ପ୍ରକାଶ ଯେ, ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଛକରେ ବଜରଙ୍ଗ ଦଳ କର୍ମୀମାନେ ଶୋଭାଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲେ । ସେହି ସମୟରେ ଭୀମ ଆର୍ମି ଦଳର କର୍ମୀମାନେ ଶୋଭାଯାତ୍ରା ସାରି ଫେରୁଥିଲେ । ଘଟଣା ସ୍ଥଳରେ କୈାଣସି କାରଣରୁ ସେଠାରେ ଉଭୟ ଦଳ ମଧ୍ୟରେ ଠେଲାପେଲା, ମାଡ଼ପିଟ୍ ଏବଂ ଗାଡ଼ି ଭଙ୍ଗାରୁଜା ହୋଇଥିଲା । ପୋଲିସ ୩ଟି ଟ୍ରାକ୍ଟର ଏବଂ ବହୁସଂଖ୍ୟକ ବାଇକ୍ ଜବତ କରି ଅତାବିରା ଥାନାକୁ ଆଣିଥିଲା । ଅନ୍ୟପଟେ ଭଙ୍ଗା ଯାଇଥିବା ବାଇକ୍ର କ୍ଷତିପୂରଣ ଦାବି କରି ଭୀମଆର୍ମି ଦଳର କର୍ମୀମାନେ ଅତାବିରାରେ ପହଞ୍ଚିଥିଲେ। ସେଠାରେ ରାଜପଥରେ ବସି ବଜରଙ୍ଗ ଦଳର ଶୋଭାଯାତ୍ରାକୁ ଅଟକାଇଥିଲେ । ଫଳରେ ଅତାବିରା ବସ୍ତି ସମ୍ମୁଖରେ ବଜରଙ୍ଗ ଦଳର ଶୋଭାଯାତ୍ରା ଅଟକି ରହି ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ବରଗଡ଼ ଉପ ଜିଲ୍ଲାପାଳ ଶୁଭେନ୍ଦୁ କୁମାର ସାମଲ, ଏସଡ଼ିପିଓ ଦୀପକ କୁମାର ଗୋଚ୍ଛାୟତ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରି ପରିସ୍ଥିତି କୁ ଆୟତ୍ତ କରିଥିଲେ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































