ରାଜନୀତି; ଏଥର ନବୀନଙ୍କ ଟିମ୍ରେ ସାମିଲ ହେବେ କି ସୌମ୍ୟ ?
ଭୁବନେଶ୍ବର(ଉଲାପ୍ର)ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ଚର୍ଚ୍ଚାର ପାରଦ ଦିନକୁ ଦିନ ଉପରକୁ ଉଠୁଛି । ଦିନ ଯେତିକି ଗଡୁଛି ଆଶୟୀଙ୍କ ଆଶା ଏବଂ ବାଦ୍ ପଡିବାକୁ ଥିବା ମନ୍ତ୍ରୀଙ୍କ ହାର୍ଟ ବିଟ୍ ସେତିକି ବଢ଼ୁଛି । ତେବେ ମନ୍ତ୍ରୀ ମଣ୍ଡଳରେ କିଏ ସ୍ଥାନ ପାଇବ କାହାକୁ ମୁଖ୍ୟମନ୍ତ୍ରୀ କ୍ଷମତାର ଲଡ଼ୁ ଖୁଆଇବେ, ତାହା ଆକଳନ କରିବା ରାଜନୀତି ପଣ୍ଡିତଙ୍କ ପକ୍ଷେ ଏବେ ମୁସ୍କିଲ। ନିର୍ବାଚନ ମଣ୍ଡଳୀରେ ନିଜର କାର୍ଯ୍ୟଧାରା ଏବଂ ଗତ ନିର୍ବାଚନରେ ପ୍ରଦର୍ଶନ ପାଇଁ କିଛି ବିଧାୟକ ମନ୍ତ୍ରୀ ଲିଷ୍ଟରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ଚାଲିଛି।
ମୋଟା ମୋଟି କହିବାକୁ ଗଲେ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ନେତା ମନ୍ତ୍ରୀ ପଦ ଦୌଡରେ ଅଛନ୍ତି । ଏପରିକି କିଛି ବରିଷ୍ଠ ଯେଉଁମାନେ କି ପ୍ରଥମ ପାଳିରେ ମନ୍ତ୍ରୀ ହେଇପାରିନାହାନ୍ତି ସେମାନଙ୍କୁ ନବୀନ ଏଥର ସୁଯୋଗ ଦେଇପାରନ୍ତି। କିନ୍ତୁ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ଏହି କ୍ଷେତ୍ରରେ ଯେ ନିଜର ସର୍ରପ୍ରାଇଜି କାର୍ଡ଼ ଖେଳିବେ ସେ ସମ୍ଭାବନାକୁ ଏଡ଼ାଇ ଦିଆ ନଯାଇପାରେ। କିନ୍ତୁ ଏଥି ମଧ୍ୟରେ ମନ୍ତ୍ରୀ ପାଇଁ ଆଶୟୀ ନେତାଙ୍କ ମଧ୍ୟରେ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ନାଁ ଜୋର୍ ଚର୍ଚ୍ଚା ହେଉଛି । କୁହାଯାଉଛି ନିରାଶ ହୋଇଥିବା ସୌମ୍ୟଙ୍କୁ ଏଥର ସୁଯୋଗ ମିଳିପାରେ ।
ସୌମ୍ୟଙ୍କ ସ୍ବପ୍ନ ସାକାର ହେବ କି ?
ଗଣମାଧ୍ୟମ ଜଗତର ଜଣେ ଟାଣୁଆ ମାଲିକ ଭାବେ ସେ ଜଣାଶୁଣା । ରାଜ୍ୟର ପ୍ରମୁଖ ଖବର କାଗଜ, ଇଲୋଟ୍ରୋନିକ୍ସ୍ ମିଡିଆ, ଅନ୍ୟ ଗଣମାଧ୍ୟମ ସଂସ୍ଥାର ମାଲିକ ହେଉଛନ୍ତି ସୌମ୍ୟ । ରାଜ୍ୟର ଲୋକପ୍ରିୟ ଚେହେରା ଭାବେ ଜଣାଶୁଣା ସୌମ୍ୟ ୨୦୧୮ରେ ବିଜୁ ଜନତା ଦଳରେ ଯୋଗ ହେଇଥିଲେ । ତେବେ ଦଳକୁ ଆସୁ ଆସୁ ତାଙ୍କ ପାଟିରେ ବାଜିଥିଲା କ୍ଷମତାର ସ୍ବାଦ । ଯୋଗ ଦେବାର କିଛି ଘଣ୍ଟା ପରେ ତାଙ୍କୁ ସୁପ୍ରିମୋ ରାଜ୍ୟ ସଭାକୁ ପଠାଇଥିଲେ ଯାହାକି ସେତେବେଳର ରାଜତୀତିକୁ ଦୋହଲାଇ ଦେଇଥିଲା । ପରେ ୨୦୧୯ ସାଧାରଣ ନିର୍ବାଚନରେ ଖଣ୍ଡପଡାରୁ ବିଜୟୀ ହୋଇ ବିଧାନସଭା ମାଟି ମାଡିଲେ । ୨୦୧୯ ସରକାର ଗଠନ ପୁର୍ବରୁ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାକୁ ନେଇ ସୌମ୍ୟ ପ୍ରମୁଖ ଦାବିଦାର ଥିଲେ । କାରଣ ଥିଲା ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହେବାର ରେକର୍ଡ ।
ଯାହାକୁ ନେଇ ସେ ଅନେକ ଆଶାବାଦୀ ମଧ୍ୟ ଥିଲେ । କିନ୍ତୁ ଶେଷରେ ତାଙ୍କୁ ନିରାଶ ହେବାକୁ ପଡିଥିଲା । କୁହାଯାଏ ଯେ ଦଳ ଏବଂ ସଙ୍ଗଠନରେ ସନ୍ତୁଳନ ରକ୍ଷା କରିବା ପାଇଁ ନବୀନ ସୌମ୍ୟଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇନଥିଲେ । ତେବେ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ନପାଇଥିବାରୁ ସୌମ୍ୟଙ୍କ ଅସନ୍ତୋଷ ଭାବ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି । ନିଜ ସମ୍ପାଦକୀୟ ଲେଖା ଜରିଆରେ ହେଉ କିମ୍ବା ମନ୍ତବ୍ୟ ଜରିଆରେ, ଦଳ ଏବଂ ସରକାର ପ୍ରତି ଥିବା ତାଙ୍କର କ୍ଷୋବ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।
ଏପରିକି ବିଧାନ ସଭାରେ ସୌମ୍ୟଙ୍କ କିଛି ପ୍ରଶ୍ନ ସରକାରଙ୍କୁ ହରଡ଼ଘଣାରେ ପକାଇବାର ନଜିର ରହିଛି । ଯାହାର ଜ୍ବଳନ୍ତ ଉଦାହରଣ ନିକଟରେ ଶେଷ ହୋଇଥିବା ବଜେଟ ଅଧିବେଶନରେ ମିଳିଥିଲା । ପ୍ରଶ୍ନ କାଳରେ ୫ଟି ଓ ମୋ ସରକାରକୁ ତେରେଛା ତୀର ମାରିଥିଲେ ସେ । ତେବେ ଏଭଳି ସ୍ଥିତିରେ ସୌମ୍ୟଙ୍କ ପ୍ରତି ସୁପ୍ରିମୋଙ୍କ ମନରେ କଣ ରହିଛି ତାହା ଏବେ ଅଜଣା । ଅପରପକ୍ଷେ ରାଜନୀତିରେ ଜଣେ ଅସ୍ଥିର ନେତା ଭାବେ ସୌମ୍ୟଙ୍କ ଏକ ଅଲୋଡା ପରିଚୟ ରହିଛି । ବାରମ୍ବାର ଦଳ ପରିବର୍ତ୍ତନ କରିବା ନିର୍ଦ୍ଧିଷ୍ଟ ଏକ ଦଳରେ ବହୁ ସମୟ ପର୍ଯ୍ୟନ୍ତ ତିଷ୍ଠି ନରହିପାରିବା ନଜିର ଅଛି। ଯଦି ଏଥର ସେ ମନ୍ତ୍ରୀ ପଦରୁ ବଞ୍ଚିତ ହୁଅନ୍ତି ତେବେ ଆଗକୁ ତାଙ୍କର ଆଭିମୁଖ୍ୟ କଣ ରହିବ ତାହା ଏକ ଗୁରୁତ୍ବପୁର୍ଣ୍ଣ ବିଷୟ ଅଟେ ।
Odia 







































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































