ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ସରକାରୀ ବିଦ୍ୟାଳୟ :ବିଭାଗୀୟ ତଦନ୍ତ ଦାବୀ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆମ ରାଜ୍ୟରେ ଥିବା ଅନୁସୂଚିତ ଜାତି ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ବିକାଶ ତଥା ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡ଼ି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତରେ ଥିବା ବୌଦୁଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗୁମିକିଆ ପଞ୍ଚାୟତରେ ଥିବା ସୁକାଲାଦା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାଦାନର କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟକୁ ପାଳିକରି ଶିକ୍ଷକମାନେ ଆସୁଛନ୍ତି ଯାହାଫଳରେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ବାଧାପ୍ରାପ୍ତ ହେଉଛି। ବୌଦୁଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୦୧ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ନ୍ତି। ଏଠାରେ ୩ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏହି ଶିକ୍ଷକମାନେ ସମୟ ଅନୁସାରେ ନିୟମିତ ବିଦ୍ୟାଳୟକୁ ଆସୁନଥିବା ଅଭିଯୋଗ ହୋଇଛି। ଏଠାରେ ଏକ ଅଜବ ନିୟମ ଦେଖିବାକୁ ମିଳିଛି । ଯେଉଁଦିନ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଆସୁଛନ୍ତି ସେହି ଦିନ ଅନ୍ୟ ୨ ଜଣ ଶିକ୍ଷକ ବିଦ୍ୟାଳୟକୁ ଆସୁ ନାହାନ୍ତି। ଯେଉଁଦିନ ଅନ୍ୟ ୨ଜଣ ଶିକ୍ଷକ ବିଦ୍ୟାଳୟକୁ ଆସୁଛନ୍ତି ସେଦିନ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଆସୁନାହାନ୍ତି। ସୁକାଲାଦା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । ଗତ ଶନିବାର ଦିନ ବୌଦୁଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପୁରେନ୍ ନାୟକ ଥିବାବେଳେ ବେଳେ ଅନ୍ୟ ଦୁଇଜଣ ସହକାରୀ ଶିକ୍ଷକ ନିହାର ରଞ୍ଜନ ସାହୁ, ଅନାମ ଚନ୍ଦ୍ର ପ୍ରଧାନ ତିନି ଦିନ ଧରି ବିଦ୍ୟାଳୟକୁ ଆସିନାହାନ୍ତି ସେହି ଭଳି ପ୍ରାଥମିକ ବିଦ୍ୟାଳୟ ସୁକାଲାଦାରେ ସହକାରୀ ଶିକ୍ଷକ ଧନୁଞ୍ଜୟ ଦଣ୍ଡିଆ ଉପସ୍ଥିତ ଥିବାବେଳେ ପ୍ରଧାନ ଶିକ୍ଷକ ପ୍ରଦୀପ୍ତ ମଲ୍ଲିକ ବିଦ୍ୟାଳକୁ ଆସିନଥିଲେ। ଏପରି ମନମାନି ନୀତି ବିଷୟରେ ଜିଲ୍ଲା ଶିକ୍ଷାବିଭାଗର ମୁଖ୍ୟ ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖରେ ସୂଚନା ନଥିବା ବେଳେ ଦାୟିତ୍ୱରେ ଥିବା ସିଆରସିଙ୍କ ପାଖରେ ଖବର ଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। କିନ୍ତୁ ବର୍ଷରେ ୧୫ ଦିନ ଛୁଟି ନେବା ଜାଗାରେ ମାସକୁ ୧୫ ଦିନ ମଧ୍ୟ ଶିକ୍ଷକମାନେ ବିଦ୍ୟାଳୟକୁ ଆସୁନାହାନ୍ତି। ଅଭିଭାବକ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲା ପରେବି ଗୁହାରି ଶୁଣିବାକୁ କେହିନାହାନ୍ତି। ଏପଟେ ବିଦ୍ୟାଳକୁ ନଆସି ମଧ୍ୟ ଶିକ୍ଷକଙ୍କ ଉପସ୍ଥିତ ଥିବା ଦେଖାଇ ଦିଆ ଯାଉଛି। ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ ମଧୁଚନ୍ଦ୍ରିକାରେ ଚାଲିଛି ସରକାରୀ ବିଦ୍ୟାଳୟ। ଯାହାଫଳରେ ଅନୁସୂଚିତ ଜାତି,ଜନଜାତିର ଛାତ୍ରଛାତ୍ରୀ ମାନେ ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































