ତୁମୁଡିବନ୍ଧ ବ୍ଲକରେ ପରିବର୍ତ୍ତନ ମେଳା ୨୦୨୨ ଆୟୋଜିତ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ପ୍ରଶାସନ ପକ୍ଷରୁ କୁର୍ତ୍ତମଗଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ “ପରିବର୍ତ୍ତନ ମେଳା ୨୦୨୨” ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ବିଭାଗ ଜରିଆରେ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ଏକାଧିକ ଜନହିତକର ଯୋଜନା ଓ ଏହାର ଉପକାରିତା ସିଧାସଳଖ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏହି ମେଳାର ଉଦେଶ୍ୟ l ମେଳାରେ କୁର୍ତ୍ତମଗଡ଼ ପଞ୍ଚାୟତର ଶତାଧିକ ଜନସାଧାରଣ ଉପସ୍ଥିତ ରହି ବିଭିନ୍ନ ବିଭାଗ ଜରିଆରେ ସରକାରଙ୍କର ଜନହିତକର ଯୋଜନା ବିଷୟରେ ଅବଗତ ହୋଇ ଉପକୃତ ହୋଇଥିବା ପ୍ରକାଶ କରିଛନ୍ତି l ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ଅଧିକାରୀ ମଧୁସୂଦନ ବେହେରା ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଏହି ମେଳାରେ ତୁମୁଡିବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ମାଝୀ, ଜିଲ୍ଲାପରିଷଦ ସଭ୍ୟ ନବୀନ ପାତ୍ର, କୁର୍ତ୍ତମଗଡ଼ ସରପଞ୍ଚ ସ୍ଵର୍ଣ୍ଣଲତା ମଲ୍ଲିକ,କୁର୍ତ୍ତମଗଡ଼ ସମିତି ସଭ୍ୟା ଶାନ୍ତିଲତା ମାଝୀ ଏବଂ ତୁମୁଡିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଳିତ କୁମାର ସୋରେନ ମଞ୍ଚାସିନ ରହିଥିଲେ l ତୁମୁଡିବନ୍ଧ କୃଷି ବିଭାଗ,ଉଦ୍ୟାନ ବିଭାଗ,ଜଳଛାୟା ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ ବିଭାଗ, ପ୍ରାଣୀସମ୍ପଦ ଏବଂ ବିକାଶ ବିଭାଗ, ଓଡିଶା ଜୀବିକା ମିଶନ, ସମନ୍ୱିତ ଶିଶୁଵିକାଶ ବିଭାଗ ପ୍ରମୁଖ ନିଜ ନିଜର ଜନହିତକର ଶୃଙ୍ଖଳାବଦ୍ଧ ଯୋଜନାର ପ୍ରଦର୍ଶନ କରିବା ସହିତ ଏହାର ସଫଳତା ଓ ଉପକାରିତା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ l ତେବେ ପ୍ରତି ମାସରେ ଗୋଟିଏ ଗୋଟିଏ ପଞ୍ଚାୟତରେ ଏହି ପରିବର୍ତ୍ତନ ମେଳା ଆୟୋଜନ କରାଯାଇ ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନା ବିଷୟରେ ଉପସ୍ଥାପନ କରାଯିବ ବୋଲି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































