ଭୁସ୍ଖଳନ ଅଞ୍ଚଳ ହେଲା ନିଷିଦ୍ଧାଞ୍ଚଳ : ଆଗକୁ ବାତ୍ୟା , ଭୟଭୀତ ଅବସ୍ଥାରେ କୁମ୍ଭାରୀପଦର ଗ୍ରାମବାସୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ହାତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ନିକଟରେ ରହିଥିବା ପାହାଡ଼ରେ ବଡ଼ ବଡ଼ ଫାଟ ଦେଖା ଯିବା ସହ ମାଟି ଅତଡା ଖସୁଛି । ଗତ ମାସରେ ଲଘୁଚାପ ଜନିତ ବର୍ଷା ହେବା ଫଳରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କୁମ୍ଭାରୀପଦର ଗ୍ରାମବାସୀଙ୍କୁ ସ୍ଥାନୀୟ ପ୍ରଶାସନ ୪ ଶହ ଲୋକଙ୍କୁ ତାମାଙ୍ଗି ସ୍କୁଲକୁ ସ୍ଥାନାନ୍ତର କରାଯାଇ ଥଇଥାନ କରାଯାଇଥିଲା । ହେଲେ ବର୍ତ୍ତମାନ ପାଗ ଭଲ ଥିବା ଯୋଗୁଁ ଆଶ୍ରୟ ନେଇଥିବା ସମସ୍ତ ଲୋକଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥି ସହ ବିଡ଼ିଓ ଗଦାଧର ପାତ୍ର,ତହସିଲଦାର ଡ଼ ଅଶୋକ କୁମାର ଦାସ,ସରପଞ୍ଚ ନବନିତା କପାଟପାତ୍ରଙ୍କ ଉପସ୍ଥିତରେ ଭୁସ୍ଖଳନ ହୋଇଥିବା ଅଂଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହ ଉକ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଛି । ଏପରିକି ଉକ୍ତ ସ୍ଥାନକୁ ଯିବାକୁ ସମସ୍ତକୁ ବାରଣ କରାଯାଇଛି । ଘଟଣା ସ୍ଥଳଟି ଗାଁ ନିକଟରେ ହୋଇଥିବା ଯୋଗୁଁ ଆଗକୁ ଆସୁଥିବା ବାତ୍ୟା ଭୟ ଲୋକଙ୍କୁ ଘାରିଛି । ବର୍ତ୍ତମାନ ଲୋକେ ନିଜ ନିଜ ଘରେ ରହିଥିବା ବେଳେ ପୁଣି ବର୍ଷା ଆରମ୍ଭ ହେବା ସହ ଆସନ୍ତା ୨୩,୨୪ ରେ ବାତ୍ୟା ରହିଥିବା ପାଣିପାଗ ପକ୍ଷରୁ ସୂଚନା ରହିଛି । ବାତ୍ୟା ଫଳରେ ବର୍ଷା ସହ ପବନ ହେବା ନେଇ ପାଣିପାଗ ପକ୍ଷରୁ ସୂଚନା ରହିଥିବା ବେଳେ ଭୁସ୍ଖଳନ ଅଂଚଳ ପ୍ରତି ବିପଦ ରହିଛି । ବର୍ଷା ହେଲେ ପୁଣି ମାଟି ଖସିବା ସହ ଫାଟ ହେବାର ସମ୍ଭାବନା ରହିଛି । ଏଭଳି ସ୍ଥଳରେ ଘଟଣାକୁ ବହୁଦିନ ବିତିଯାଇଥିଲେ ସୁଦ୍ଧା ଭୁସ୍ଖଳନ ଅଂଚଳରେ ଏ ପର୍ଯ୍ୟନ୍ତ କୌଣସି ଟେକ୍ନିକାଲ ଟିମ ପହଂଚି ନାହାନ୍ତି । ଖାଲି ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳ ବୁଲିଦେଖି ନିଜର କାମ ସାରିଦେଇଛନ୍ତି । ଘଟଣା ଘଟିବାର ପାଖାପାଖି ଏକ ମାସ ରୁ ଊର୍ଦ୍ଧ୍ବ ହୋଇଯାଇଥିବା ବେଳେ ଗତ ତିତିଲି ବାତ୍ୟାରେ ଏଭଳି ଭୁସ୍ଖଲନ ଆରମ୍ଭ ହୋଇଥିଲା । ହେଲେ ଆଜି ସୁଦ୍ଧା ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କ ପାଇଁ ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରାନଯାଇ ଖାଲି ଆଶ୍ରୟ ସ୍ଥଳୀରେ ରଖି ପ୍ରଶାସନ ତାର କାମ ସାରି ଦେଇଛି । ଅନ୍ୟ ପଟେ ଲୋକଙ୍କ ପାଇଁ ସ୍ଥାୟୀ ସମାଧାନ ହୋଇନଥିବା ଯୋଗୁଁ ଲୋକେ ବିଭିନ୍ନ ସମୟରେ ଗାଁରୁ ଆଶ୍ରୟ ସ୍ଥଳୀକୁ ହେବାକୁ ପଡୁଛି । ଏଭଳି ସ୍ଥଳେ ଲୋକଙ୍କର ଜୀବିକା ନିର୍ବାହ କାର୍ଯ୍ୟ କରିବା ଏକ ପ୍ରକାର ବନ୍ଦ ହୋଇଯାଇଛି । ଏଣୁ ଯଥା ଶୀଘ୍ର ଲୋକଙ୍କ ପାଇଁ ସ୍ଥାୟୀ ସମାଧାନ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































