ବିଲ ଭିତରୁ ଯୁବକଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଫୁଲବାଣୀ((ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିଣ୍ଡିରାଗାଁ ପଞ୍ଚାୟତର ଗଞ୍ଜୁଖୋଲଠାରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଉଛନ୍ତି ଗୋଚ୍ଛାପଡା ଥାନା ଅନ୍ତର୍ଗତ କ୍ରାଣ୍ଡିବାଲିର ବଉଦ କହଁରଙ୍କ ପୁଅ ବିଭୁଦତ୍ତ କହଁର(୧୯) ।
ବିଭୁଦତ୍ତ ଫିରିଙ୍ଗିଆରେ ଥିବା ତାଙ୍କ ଭାଇଙ୍କ ଶଳା ଘରେ ରହି ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଥିଲେ। ସେ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ବେଳେ ନିଜ ଘରୁ ବାହାରି ଗଞ୍ଜୁଖୋଲରେ ରହୁଥିବା ଭଉଣୀ ଯମୁନା କହଁରଙ୍କ ଘରକୁ ଯାଇଥିଲେ। ତେବେ ସେ ଭଉଣୀଙ୍କ ଘରେ ପହଞ୍ଚି ନ ଥିଲେ କିମ୍ବା ନିଜ ଘରକୁ ମଧ୍ୟ ଫେରି ନ ଥିଲେ। କିଛି ଗ୍ରାମବାସୀ ଗାଁ ମୁଣ୍ଡ ବିଲକୁ ଯାଇଥିବା ବେଳେ ସେଠାରେ ବିଭୁଦତ୍ତଙ୍କ ମୃତ ଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ଲୋକେ ଯମୁନାଙ୍କ ଘରେ ଖବର ଦେବା ପରେ ସେମାନେ ଆସି ମୃତଦେହ ଚିହ୍ନଟ କରିଥିଲେ।ବିଭୁଦତ୍ତଙ୍କ ଶରୀରର ଅନେକ ଅଂଶ ପୋଡି ଯାଇଥିବା ବେଳେ ଘଟଣା ସ୍ଥଳରୁ ପ୍ରାୟ ଶହେ ମିଟର ଦୂରରେ ତାଙ୍କର ମୋବାଇଲ, ଏଟିଏମ ଓ ଆଧାର କାର୍ଡ,ଜୋତା, କିଛି ଟଙ୍କା, ଇତ୍ୟାଦି ଦରପୋଡା ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଥିଲେ ବି ମୃତ୍ୟ ର କାରଣ ଜଣା ପଡି ନାହିଁ। ଖବର ପାଇ ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି। ଅପରପକ୍ଷରେ ମୃତକଙ୍କ ଭାଇ ବିଚ୍ଛନ୍ଦ କହଁର ଏ ନେଇ ଫିରିଙ୍ଗିଆ ଥାନାରେ ଏତଲା ଦେଇଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































