ସ୍କୁଟି ଓ ପଲସର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ: ଦୁଇ ଆହତ
ବାଲିଗୁଡା :(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା ଲିଙ୍ଗାଗଡ ପଞ୍ଚାୟତ ଅନ୍ତର୍ଗତ ନିଲୁଙ୍ଗିଆ ଘାଟି ବୁଲାଣି ନିକଟରେ ଏକ ଅଭାବନୀୟ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ସ୍କୁଟି ଓ ପଲସର ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଶନିବାର ସକାଳୁ ସକାଳୁ ଲିଙ୍ଗାଗଡ ପଟୁ ଆସୁଥିବା ଜଣେ ବାଇକ (ଓଡି ୧୨ସି ୨୫୯୭) ଚାଳକ ଜଣେ ଶିକ୍ଷୟତ୍ରୀ ଓ ଜଣେ ମହିଳା କିରାଣି ସ୍କୁଟି(ଓଡି ୧୨ସି ୧୭୨୭)ରେ ସ୍କୁଲକୁ ଯାଉଥିବା ବେଳେ ସାମ୍ନା ପଟୁ ଜୋରରେ ଧକ୍କା ଦେଇଥିଲେ। ଦୁର୍ଘଟଣାରେ ଆହତମାନଙ୍କୁ ଅଟୋ ଦ୍ଵାରା ସ୍ଥାନୀୟ ସରକାରୀ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା। ଡାକ୍ତର ଆହତଙ୍କୁ ଚିକିତ୍ସା କରୁଥିବା ସମୟରେ ଉଭୟ ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ବାଇକ୍ ଚାଳକ ସାମାନ୍ୟ ଆହତ ଥିବା ସୂଚନା ମିଳିଛି।ଦୁର୍ଘଟଣାରେ ମୃତ ମହିଳାମାନେ ଲିଙ୍ଗାଗଡ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରଦିପ୍ତା ସାହୁ (୩୪) ଓ ଅନ୍ୟଜଣେ ସେଇ ବିଦ୍ୟାଳୟର କିରାଣି ବିମଳା ପ୍ରଧାନ (୪୭)। ଶିକ୍ଷୟିତ୍ରୀ ଜଣକ ନୟାଗଡ଼ ବାସିନ୍ଦା ହୋଇଥିବା ବେଳେ କିରାଣି ମାଲିକାପଡ଼ି ପଞ୍ଚାୟତ କୁପାଗୁଡ଼ା ଗ୍ରାମର। ଘଟଣା ଜାଣିବା ପରେ ପରିବାର ଓ ଗ୍ରାମବାସୀ ମେଡିକାଲରେ ପହଞ୍ଚିଥିଲେ। ୨ ଟି ଅମୂଲ୍ୟ ଜୀବନ ଚାଲିଯିବା ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ସ୍ଥାନୀୟ ଥାନା ଅଧିକାରୀ ଅଜୟ ସ୍ୱାଇଁ ମେଡିକାଲରେ ପହଞ୍ଚି ଚାଳକ ନାବାଳକ ନିପ୍ରେଶ ନାୟକକୁ ନିଜ ଅଧୀନରେ ଚିକିତ୍ସା କରୁଥିବା ସହ ଅନ୍ୟ ଜଣେ ବାଇକ୍ ଆରୋହୀ ନାବାଳକ କିଟୁନ ପ୍ରଧାନକୁ ଦୁର୍ଘଟଣା ସ୍ଥଳରୁ ଆଣିବା ସହ ସ୍କୁଟି ଓ ବାଇକ୍ ଜବତ କରିଛନ୍ତି। ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Odia 









































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































