ମନରେଗାରେ ସଫଳତା ପାଇଥିବା କନ୍ଧମାଳର ୬ଟି ପଞ୍ଚାୟତ ସମ୍ମାନିତ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ୨୪ଟି ପଞ୍ଚାୟତରେ ବ୍ଲକ ତରଫରୁ ମନରେଗା ଯୋଜନାରେ ସମସ୍ତ କାର୍ଯ୍ୟ ଚାଲିଥିବା ବେଳେ ୨୦୨୨ ଏବଂ ୨୦୨୩ ଆର୍ଥିକ ବର୍ଷରେ ଶ୍ରମ ଦିବସ ଏବଂ ୧୦୦ ଦିନର କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ୬ଟି ପଞ୍ଚାୟତକୁ ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିବା ବେଳେ ବ୍ଲକରେ ଜଣେ ମେଟକୁ କାର୍ଯ୍ୟରେ ସଫଳତା ପାଇଁ ସମ୍ମାନିତ କରାଯାଇଛି। ସୂଚନା ଅନୁସାରେ ଫିରିଙ୍ଗିଆ ସମ୍ୱନ୍ୱିତ ଶିଶୁ ବିକାଶ ସଭା ଗୃହରେ ଚାଲିଥିବା ମେଟ ପ୍ରଶିକ୍ଷଣ ଶିବିରରେ ବ୍ଲକ ପ୍ରଶାସନ ତରଫରୁ ତିନି ଦିନିଆ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ଅବସରରେ ବ୍ଲକ ପ୍ରଶାସନ ସଫଳ ଶ୍ରମ ଦିବସ ସୃଷ୍ଟି ପାଇଁ ଫିରିଙ୍ଗିଆ ପଞ୍ଚାୟତକୁ ପ୍ରଥମ ସ୍ଥାନ, ଡିଣ୍ଡିରା ଗାଁ ପଞ୍ଚାୟତକୁ ଦ୍ଵିତୀୟ ସ୍ଥାନ ଓ ବନ୍ଧଗଡ଼ ପଞ୍ଚାୟତକୁ ତୃତୀୟ ସ୍ଥାନ ଏବଂ ୧୦୦ ଦିନର କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ପବିଙ୍ଗିଆ ପଞ୍ଚାୟତ ପ୍ରଥମ ସ୍ଥାନ, କେଳାପଡା ପଞ୍ଚାୟତ ଦ୍ଵିତୀୟ ଓ ନୂଆପଦର ପଞ୍ଚାୟତକୁ ତୃତୀୟ ସ୍ଥାନ ପାଇଁ ବ୍ଲକ ତରଫରୁ ମାନପତ୍ର ଓ ଟ୍ରଫି ସହ ସମ୍ମାନିତ କରାଯାଇଛି। ଅନ୍ୟ ପଟେ ଫିରିଙ୍ଗିଆ ବ୍ଲକର ବନ୍ଧଗଡ଼ ପଞ୍ଚାୟତର ତେଜାମାହା ଗାଁରେ କାର୍ଯ୍ୟରତ ମେଟ ଭୋଳା ନାଥ କହଁରକୁ ବ୍ଲକର ସଫଳ ମେଟ ଭାବରେ ସମ୍ମାନିତ କରାଯାଇଥିବା ଜଣାପଡିଛି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































