ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଏବେବି ଜଳୁଛି ଘର, ଏବେବି ଲକ୍ଷାଧିକ ଟଙ୍କାର ଆସବାବ ପତ୍ର ପୋଡି ଛାରଖାର ହେଉଛି । ଖଟିଖିଆ ଗରୀବ ଲୋକର ବର୍ଷକର ଆହାର, ପିନ୍ଧିବା ବସ୍ତ୍ର, ଖାଇବା ପାଇଁ ଉଦ୍ଦିଷ୍ଟ ବାସନ୍ ସବୁ କିଛି ହେଉଛି ଛାର ଖାର ।
କାହାପାଇଁ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କାହାପାଇଁ ବିଜୁ କୁଟୀର ଯୋଜନା, କାହାପାଇଁ ହୋଇଛି ଏତେ ସବୁ ଯୋଜନା ?
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ତିଲେଶ୍ୱର ପଞ୍ଚାୟତର ମାଣିକପୁର ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦୁଇଟି ପରିବାରର ୪ବଖରା ଘର ସହ ଲକ୍ଷାଧିକଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ସୂଚନା ଯୋଗ୍ୟ, ଗତକାଲି ରାତିରେ ଘରେ ଶୋଇଥିବା ସମୟରେ ମାଣିକପୁର ଗ୍ରାମର କମ୍ଭୁପାଣି ପ୍ରଧାନଙ୍କ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ସାହି,ପଡ଼ିଶାଙ୍କ ଚିତ୍କାର ଶୁଣି ପରିବାରଲୋକେ ବାହାରି ଆସିଲେ। ଯାହାଫଳରେ ସେମାନଙ୍କ ଜୀବନ ବର୍ତ୍ତି ଯାଇଥିଲା। ଚାହୁଁ ଚାହୁଁ ଏହି ନିଆଁ ଅନ୍ୟ ଜଣଙ୍କ ଘରକୁ ମଧ୍ୟ ବ୍ୟାପି ଯାଇଥିଲା। ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବାରୁ ସ୍ଥାନୀୟଲୋକେ ନିଆଁ ଲିଭାଇବାକୁ ସଫଳ ହୋଇନଥିଲେ। । ଖବର ପାଇ ରାତାରାତି ହରଭଙ୍ଗା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। ମାତ୍ର ସେତେବେଳକୁ ପରିବାରର ୪ବଖରା ଚାଳ ଛପର ଘର ପୋଡି ପାଉଁଶ ହୋଇଯାଇଥିଲା। ଏହାସହିତ ବର୍ଷକର ଅମଳ ହୋଇଥିବା ଧାନ ,ବିରି, ମୁଗ ଜଳିଯାଇଥିଲା। ଘର ତିଆରି ପାଇଁ ରଖିଥିବା ୪୦ ବସ୍ତା ସିମେଣ୍ଟ ସାଙ୍ଗକୁ ଗୋଟିଏ ସାଇକେଲ ସହ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇଯାଇଥିଲା।ଅଗ୍ନିବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇବାକୁ ସ୍ଥାନୀୟଲୋକେ ଦାବି କରିଛନ୍ତି।
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































