#Uncategorized

ମାର୍ଚ୍ଚ ରୁ ମେ’ ଅସହ୍ୟ ହେବ ତାତି, ଓଡ଼ିଶା ହୋଇପାରେ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ

ଏବେଠୁ ଅସହ୍ୟ ହେଲାଣି ତାତି । ପିଟିଲାଣି ଝାଞ୍ଜି । ଖରାରେ ଆଉଟୁ ପାଉଟୁ ହେଲେଣି ଲୋକେ । ଫେବୃଆରୀ ଶେଷ ନହେଉଣୁ ଏଥର ଆରମ୍ଭ ହୋଇଯାଇଛି ତାତି । ମାର୍ଚ୍ଚ ପହିଲା ବେଳକୁ ୪୦ ଡିଗ୍ରୀ ଉପରେ ବିଭିନ୍ନ ସହରର ତାପମାତ୍ରା । ତେବେ ଏତିକିରେ ସରୁନି କଷ୍ଟ । ସତେ ଯେମିତି ସର୍ଯ୍ୟଦେବଙ୍କ କୋପ ଏଥର ଓଡ଼ିଶା ଉପରେ ପଡ଼ିଛି । ଖାଲି ଓଡ଼ିଶା ନୁହେଁ, ଓଡ଼ିଶା ସୀମାରେ ଥିବା ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ତାତି ଅସହ୍ୟ ହେବ । ଏହ ସହ କୋଙ୍କଣ ଗୋଆ ଓ ଗୁଜରାଟରେ ମଧ୍ୟ ବଢ଼ିବ ତାତି । ପାଣିପାଗ ବିଭାଗ ଅନୁଯାୟୀ; ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ଭୀଷଣ ଖରା ଅନୁଭୂତ ହେବ ।

ତେବେ ଏବେ ତ ତାତି ଅସହ୍ୟ ହେଲାଣି । ହେଲେ ସବୁଠୁ ବଡ଼ କଥା ହେଲା ମାର୍ଚ୍ଚଠାରୁ-ମେ’ ଏହି ରାଜ୍ୟ ଗୁଡ଼ିକ ଦେଶର ସବୁଠାରୁ ଉତ୍ତପ୍ତ ରଜ୍ୟ ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ବଙ୍ଗୋପସାଗରର ଜଳବାୟୁ ଆଧାର କରି ସୃଷ୍ଟି ହୋଇଥିବା ଲା-ନିନା ଯୋଗୁଁ ଏହି ତାତି ବଢ଼ୁଛି ବୋଲି କୁହାଯାଉଛି । ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, କୋଙ୍କଣ ଗୋଆ, ଗୁଜରାଟ ଆଦି ରାଜ୍ୟରେ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ପ୍ରବଳ ଖରା ହେବ, ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଫେବୃଆରୀ ଶେଷ ଓ ମାର୍ଚ୍ଚ ଆରମ୍ଭରୁ ଥିବା ଜଳବାୟୁ ପରିସ୍ଥିତିକୁ ଦେଖି ମଧ୍ୟ ଏଭଳି ଆକଳନ କରାଯାଇଛି ।

ସେପଟେ ଦିନକୁ ଦିନ ଓଡ଼ିଶାରେ ତାପମାତ୍ରା ବଢ଼ିବାରେ ଲାଗିଛି । କେତେକ ଜିଲ୍ଲାରେ ଦିନର ତାପମାତ୍ରାରେ ସାଧାରଣଠାରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇଥିବା ଦେଖାଯାଇଛି । ଆଗକୁ ଏହା ଆହୁରି ବଢ଼ିବ ବୋଲି ଆଶଙ୍କା ମଧ୍ୟ ରହିଛି । ବିଶେଷ କରି ଖୋର୍ଦ୍ଧା, କଟକ, ଅନୁଗୋଳ, ବୌଦ୍ଧ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ନୟାଗଡ଼ ଜିଲ୍ଲା ପାଇଁ ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରାଯାଇଛି । ଦିନ ବେଳା ଘରୁ ବାହାରକୁ ଯାଉଥିଲେ ସତର୍କ ରହିବାକୁ ଭାରତୀୟ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଖାଲି ସେତିକି ନୁହେଁ ଜରୁରୀ କାମ ନଥିଲେ ଘରୁ ନ ବାହାରିବା ପାଇଁ ଲୋକଙ୍କୁ ପାଣିପାଗ ବିଭାଗ ପକ୍ଷରୁ ଏବେଠୁ ପରାମର୍ଶ ଦିଆଯାଇଛି ।

Leave a comment

Your email address will not be published. Required fields are marked *