#Breaking News #Uncategorized

ବାଲିଗୁଡା ଡାକ ବିଭାଗର ଅଜବ ନୀତି ଯୋଗୁଁ ଗ୍ରାହକ ହନ୍ତସନ୍ତ : ଇଣ୍ଟରନେଟରେ ବ୍ୟାଘାତ ସୃଷ୍ଟି ହେଲେ ଗ୍ରାହକ କାହିଁକି ଦାୟୀ ହେବେ ?


ବାଲିଗୁଡା,୨୮/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଚିତ କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ଏକମାତ୍ର ପୋଷ୍ଟ ଅଫିସରେ ମାସରେ ୨୦ ରୁ ୨୫ ଦିନ ଇଣ୍ଟରନେଟ ସେବା ରହୁନଥିବାରୁ ଜନସାଧାରଣ ତଥା ନିୟମିତ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଉକ୍ତ ଅଫିସରେ ଦୂର ଦୁରାନ୍ତକୁ ଚିଠିର ଆଦାନ ପ୍ରଦାନ କ୍ଷେତ୍ରରେ ହେଉଥିବା ସ୍ପୀଡ଼ ପୋଷ୍ଟ , ରେଜିଷ୍ଟ୍ରସନ ପୋଷ୍ଟ , ମନି ଅର୍ଡ଼ର , ଭଳି ବିଭିନ୍ନ କାର୍ଯ୍ୟ ପାଇଁ ଯେତେବେଳେ ଗଲେ ମଧ୍ୟ ଆଜ୍ଞା ନେଟ ନାହିଁ, ନେଟ ଆସିଲେ ହେବ ବୋଲି କହୁଛନ୍ତି l ବିଶେଷ କରି ମାସିକ ରିକୋରିଙ୍ଗ ଡ଼ିପୋଜିଟ କରିବାକୁ ଗଲେ ମଧ୍ୟ ସେହି ଗୋଟିଏ କଥା କହୁଛନ୍ତି l ହେଲେ ବିଚରା ଗ୍ରାହକ ନେଟ ଅସୁବିଧା ଯୋଗୁଁ ବାରମ୍ୱାର ଦୌଡ଼ି ମାସକ ଭିତରେ ଅସୁବିଧା ବଶତଃ ଆର.ଡି. ଟଙ୍କା ବାନ୍ଧି ପାରିଲା ନାହିଁ,ଶେଷ ଦିବସ ଅର୍ଥାତ ୩୦ ତାରିଖ ଦିନ ବାନ୍ଧିବାକୁ ଗଲେ ମଧ୍ୟ କହୁଛନ୍ତି , ଆଜ୍ଞା ନେଟ ନାହିଁ, ଟଙ୍କା ଜମା ହୋଇ ପାରିବ ନାହିଁ, ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଗ୍ରାହକ ଜଣକ ବାରମ୍ବାର ଦୌଡିବା ପରେ ନେଟ ଅସୁବିଧା ଯୋଗୁଁ ତାଙ୍କର ଆର.ଡି. ଟଙ୍କା ଡିପୋଜିଟ ହୋଇପାରିଲା ନାହିଁ l ୩୦ ତାରିଖ ପରେ ବାନ୍ଧିଲେ ଜୋରିମାନା ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷ କହୁଛନ୍ତି l ମାସ ଯାକ ନେଟ ଅସୁବିଧା ହେଲେ ସେଥିପାଇଁ ଗ୍ରାହକ କାହିଁକି ଜୋରିମାନା ଦେବ ? ଏହା କେଉଁଠାର ନିୟମ ବୋଲି ଅଭିଯୋଗ ହୋଇଛି l ବିଭାଗୀୟ ଅସୁବିଧା ପାଇଁ ଆର.ଡି.ଜମାଧାରୀ କାହିଁକି ବଳି ପଡିବ ? ଏ ସମ୍ପର୍କରେ ସ୍ଥାନୀୟ ଡାକବିଭାଗ କର୍ତ୍ତୃପକ୍ଷଙ୍କୁ ପଚାରିଲେ ଆମର ଏଠାରେ ଅଧିକାଂଶ ଦିନ ନେଟ ପ୍ରୋବ୍ଲେମ ରହୁଛି ଏଣୁ ଏପରି ଅସୁବିଧା ହେଉଛି ବୋଲି କହିଛନ୍ତି l ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନେଟ ପ୍ରୋବ୍ଲେମରେ ଯେପରି ଅସୁବିଧା ନ ଘଟି ଜନସାଧାରଣ ତଥା ଜମାଧାରୀ ମାନଙ୍କର ନିୟମିତ କାର୍ଯ୍ୟ ସୁଚାରୁରୂପେ ହୋଇ ପାରିବ ସେଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *