ଘରୋଇ ବସଷ୍ଟାଣ୍ଡ କାର୍ଯ୍ୟ କ୍ଷମ ହେବ କେବେ ?

Udaya_Labanya | July 14, 2021 | 19 views |0 | Breaking News


ବରଗଡ଼,୧୩।୭ – ଯାତ୍ରୀବାହୀ ବସ୍‌ ରହଣୀ ଏବଂ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବରଗଡ଼-ଭେଡ଼େନ କେନାଲ ରାସ୍ତା ପାର୍ଶ୍ୱରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି। ଏହା ୨୦୧୮ ନଭେମ୍ବର ୨୫ରେ ଉଦଘାଟିତ ହୋଇଛି। ଇତିମଧ୍ୟରେ ଅଢ଼େଇ ବର୍ଷ ବିତିଯାଇ ଥିଲେ ସୁଦ୍ଧା ଉକ୍ତ ବସଷ୍ଟାଣ୍ଡକୁ ବସ୍‌ ଗଡ଼ିନାହିଁ। ନିର୍ମାଣରେ ତ୍ରୁଟି ରହିଥିବା ଅଭିଯୋଗ କରି ଘରୋଇ ବସ୍‌ ମାଲିକ ସଂଘ ନୂତନ ବସ୍‌ଷ୍ଟାଣ୍ଡକୁ ବିରୋଧ କରି ପୁରୁଣା ବସ୍‌ଷ୍ଟାଣ୍ଡକୁ ବ୍ୟବହାର କରିଆସୁଛି।
ବରଗଡ଼ ଘରୋଇ ବସ୍‌ଷ୍ଟାଣ୍ଡରୁ ପ୍ରତିଦିନ ପ୍ରାୟ ୩ଶହ ଯାତ୍ରୀବାହୀ ବସ୍‌ ଯାତାୟାତ କରୁଛି। ଏହାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ସାଢ଼େ ୫କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବସ୍‌ଷ୍ଟାଣ୍ଡ ପରିସରରେ ବସ୍‌ ଗଡ଼ିବା ଆରମ୍ଭ ହୋଇନାହିଁ। ଅପରପକ୍ଷେ ବସ୍‌ଷ୍ଟାଣ୍ଡରେ ଗୋରୁ, ଛେଳିମେଣ୍ଢା ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି। ବସଷ୍ଟାଣ୍ଡ ପରିସର ନିଶାଖୋରଙ୍କ ଆଡ୍ଡା ପାଲଟିଛି। ବରଗଡ଼ ସହରର ପ୍ରଦୀପ କୁମାର ମହାନ୍ତି କହିଛନ୍ତି, ଦୀର୍ଘ ଅଢ଼େଇ ବର୍ଷ ଧରି ନୂଆ ଘରୋଇ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ନ ପାରିବା ଦୁର୍ଭାଗ୍ୟଜନକ। ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ଯାତ୍ରୀଙ୍କ ସୁବିଧା ପାଇଁ ନିର୍ମିତ ନୂଆ ବସ୍‌ଷ୍ଟାଣ୍ଡ ସେଭଳି ପଡ଼ି ରହିଛି ଏବଂ ଅସାମାଜିକ ତତ୍ତ୍ବଙ୍କ ଆଡ୍ଡାସ୍ଥଳ ପାଲଟିଛି। ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଗଲେ ଯାତ୍ରୀମାନେ ଉପକୃତ ହୋଇପାରିବେ। ସେହିପରି ପୂର୍ବତନ ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା କହିଛନ୍ତି, ଯାତ୍ରୀମାନଙ୍କ ସୁବିଧା ଏବଂ ଗରିବ ଲୋକଙ୍କ ପେଟପାଟଣାକୁ ଦୃଷ୍ଟିରେ ରଖି ନୂଆ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି। ଏଥିପାଇଁ ରାଜ୍ୟ ସରକାର କେବଳ ୫୦ଲକ୍ଷ ଟଙ୍କା ଅନୁଦାନ ଦେଇଥିବାବେଳେ ବାକି ୫କୋଟି ଟଙ୍କା ପୌର ପରିଷଦ ଖର୍ଚ୍ଚ କରିଛି। ଏତେଦିନ ପର୍ଯ୍ୟନ୍ତ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ଦୁଃଖ ଲାଗୁଛି। ସେହିପରି ବରଗଡ଼ ଘରୋଇ ବସ୍‌ ମାଲିକ ସଂଘର ମୁଖ୍ୟ ଉପଦେଷ୍ଟା ଦେବବ୍ରତ ମିଶ୍ର କହିଛନ୍ତି, ବସ୍‌ଷ୍ଟାଣ୍ଡ ନିର୍ମାଣରେ କିଛି ତ୍ରୁଟି ଦୃଷ୍ଟିକୁ ଆସିଥିଲା। ଫଳରେ ନୂଆ ବସ୍‌ଷ୍ଟାଣ୍ଡ ଦେଇ ବସ୍‌ ଚଳାଚଳ କିମ୍ବା ସେଠାରେ ବସ୍‌ ରହଣୀ ପାଇଁ ସହମତି ପ୍ରକାଶ କରାଯାଇ ନ ଥିଲା। ସେହି ତ୍ରୁଟିରେ ସୁଧାର ଆଣିବାକୁ ବସ୍‌ ମାଲିକ ସଂଘ ପୌର ପରିଷଦକୁ ପ୍ରସ୍ତାବ ଦେଇଛି। ପୌର ପରିଷଦ ସେଥିରେ ସହମତି ପ୍ରକାଶ କରିଥିବା ସେ କହିଛନ୍ତି । ସେହିପରି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପାଇଁ ଘରୋଇ ବସ୍‌ ମାଲିକ ସଂଘ ସହିତ ଆଲୋଚନା ଜାରି ରହିଛି ଏବଂ ଏହା ଅତିଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସେ କହିଥିଲେ।
ବାହୁଡ଼ାରୁ ଗଡ଼ିପାରେ ବସ
ବରଗଡ଼ ଘରୋଇ ବସ୍‌ ମାଲିକ ସଂଘର ବିରୋଧ ଯୋଗୁ ନୂତନ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ତେବେ ବସ୍‌ ମାଲିକ ସଂଘର ପ୍ରସ୍ତାବରେ ପୌର ପରିଷଦ ରାଜି ହୋଇଥିବା ସୂଚନା ମିଳିଛି। ଆସନ୍ତା ୨୦ ତାରିଖ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାରୁ ଘରୋଇ ବସ୍‌ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେବ ଏବଂ ଏହି ବସ୍‌ଷ୍ଟାଣ୍ଡ ଦେଇ
ବସ୍‌ ଗୁଡ଼ିକ ଗଡ଼ିବ ବୋଲି ଚର୍ଚ୍ଚା ଚାଲିଛି।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories