#Breaking News

ବିଶ୍ୱ ଓଡ଼ିଶା ସମାଜ ପକ୍ଷରୁ ମଧ୍ୟରାତ୍ର ଆଭାସି ସ୍ୱାଧୀନତା ସମାରୋହ ଆୟୋଜନ


ନର୍ଥ କାରୋଲିନା / ରୋଡ୍ସ ଆଇଲାଣ୍ଡ / ମାଞ୍ଚେଷ୍ଟର / କେସେସ୍ / ଅକ୍‌ଲାଣ୍ଡ / କାନ୍‌ବେରା / କୋଲକାତା / ଭୁବନେଶ୍ୱର / କଟକ, ୧୬ା୮ : ଭାରତୀୟ
ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଓଡ଼ିଶାର ଅବଦାନ ଅତୁଳନୀୟ ଥିଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ବିଶ୍ୱ ଓଡ଼ିଶା ସମାଜ (ବି.ଓ.ସ) ପକ୍ଷରୁ
ଆୟୋଜିତ ମଧ୍ୟରାତ୍ର ଆନ୍ତର୍ଜାତିକ ଆଭାସି ସ୍ୱାଧୀନତା ସମାରୋହରେ ଭାଗ ନେଇ ବରେଣ୍ୟ ଅତିଥିବୃନ୍ଦ ଏବଂ ବିଭିନ୍ନ ରାଷ୍ଟ୍ରର ଓଡ଼ିଆ ସମାଜର ନେତୃବୃନ୍ଦ
ସ୍ୱତନ୍ତ୍ରତା ସଂଘର୍ଷ ଓ ପରବର୍ତ୍ତୀ କାଳରେ ସ୍ୱାଧୀନ ଭାରତର ନବନିର୍ମାଣ ନେଇ ଓଡ଼ିଆମାନଙ୍କର ବଳିଷ୍ଠ ଭୂମିକାକୁ ଭୂରିଭୂରି ପ୍ରଶଂସା କରିଥିଲେ । ‘ବୀର ପାଇକର


ଗୌରବ ଗାଥା’ ଶିର୍ଷକ ଦୀର୍ଘ ୮ ଘଣ୍ଟା ଧରି ଚାଲିଥିବା ଏହି ମହା ମହୋତ୍ସବକୁ ଓଡ଼ିଶା ବିଧାନସଭାର ବାଚ୍ଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର ଉଦ୍‌ଘାଟନ
କରିଥିଲେ । ଭିଡିଓ କନଫରେନ୍ସିଂ ଜରିଆରେ ସମାବେଶକୁ ସମ୍ବୋଧନ କରି ଡକ୍ଟର ପାତ୍ର, ସାରା ବିଶ୍ୱରେ ବସବାସ କରୁଥିବା ଭାରତୀୟ ଓ ଓଡ଼ିଆମାନଙ୍କର ମନ,
ପ୍ରାଣ ଓ ହୃଦୟ ସଦାସର୍ବଦା ଜନ୍ମ ମାଟିର କଲ୍ୟାଣ ପାଇଁ ଆନ୍ଦୋଳିତ ହେଉଥିବା ଦର୍ଶାଇଥିଲେ । ଏକ ବିକଶିତ ଓଡ଼ିଶା ଓ ସର୍ବଶକ୍ତିମାନ ଭାରତବର୍ଷ ନିର୍ମାଣ ପାଇଁ
ଡକ୍ଟର ପାତ୍ର ପ୍ରବାସୀ ଓଡ଼ିଆ ଓ ପ୍ରବାସୀ ଭାରତୀୟମାନଙ୍କର ସାହାଯ୍ୟ, ସହଯୋଗ ଓ ସମର୍ଥନ କାମନା କରିଥିଲେ । ସମାରୋହରେ ପୌରୋହିତ୍ୟ କରି ‘ବିଶ୍ୱ
ଓଡ଼ିଶା ସମାଜ’ର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ଓଡ଼ିଶାର ଉତ୍କର୍ଷତାକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିବା (ବି.ଓ.ସ)ର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ ।
ଅନ୍‌ଲାଇନ୍ ଅଧିବେଶନରେ ଉଦ୍‌ବୋଧନ ଦେଇ ସମ୍ମାନିତ ଅତିଥି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କର ସୁପୁତ୍ର ସୁନୀଲ ଶାସ୍ତ୍ରି,
ଓଡ଼ିଆମାନଙ୍କୁ ରତ୍ନ ଆକ୍ଷା ଦେଇ ସବୁ ଜାଗାରେ ସେମାନେ ଦେଶ ଓ ଜାତି ପାଇଁ ଯଶ ଅର୍ଜନ କରୁଥିବା ଦର୍ଶାଇଥିଲେ । ଭାରତ ବର୍ଷର ଗୌରବ ବର୍ଦ୍ଧନ କରି
ଆସିଥିବା ଓଡ଼ିଶାର ବିଶେଷ ଯୋଗଦାନ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ୧୮୧୭ ମସିହାର ପାଇକ ବିଦ୍ରୋହରୁ ସ୍ପଷ୍ଟ ଅନୁମେୟ ବୋଲି ଶ୍ରୀ ଶାସ୍ତ୍ରୀ
ସୂଚାଇଥିଲେ । ମଧ୍ୟ ରାତ୍ରରେ ସ୍ୱାଧୀନତା ଅଭିଭାଷଣ ପ୍ରଦାନ କରି ମୁଖ୍ୟ ବକ୍ତା କେନିଆର ସାଂସଦ ଡକ୍ଟର ସ୍ୱରୂପ ରଞ୍ଜନ ମିଶ୍ର, ଇତିହାସ ଏବଂ ଐତିହ୍ୟ ଓଡ଼ିଶାର
ସ୍ୱର୍ଣ୍ଣାଭ ଯୋଗଦାନର ସ୍ୱାକ୍ଷର ବହନ କରୁଥିବା ଉଲ୍ଲେଖ କରିଥିଲେ । ବର୍ତ୍ତମାନ ସମୟ ଆସିଛି ଆମର ଶକ୍ତି ଓ ସାମର୍ଥ୍ୟକୁ ପୁନର୍ଜୀବିତ କରି ଭବିଷ୍ୟତର ସମର ମଞ୍ଚ
ଶିକ୍ଷା କ୍ଷେତ୍ରରେ ଯୋଦ୍ଧା ପାଇକ ଭଳି ନିଜର ଉତ୍କୃଷ୍ଟତାକୁ ପ୍ରମାଣିତ କରିବାକୁ ଡକ୍ଟର ମିଶ୍ର ସାରା ବିଶ୍ୱର ଓଡ଼ିଆ ସମ୍ପ୍ରଦାୟକୁ ଆହ୍ୱାନ ଜଣାଇଥିଲେ ।
ବରେଣ୍ୟ ଅତିଥି ରାଜ୍ୟର ଯୁବ, କ୍ରୀଡ଼ା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜିର ଯୁବପିଢ଼ୀ ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କର ଆଦର୍ଶ ଓ
ବଳିଦାନରୁ ପ୍ରେରଣା ଲାଭ କରିବାକୁ ପରାମର୍ଶ ଦେଇଥିଲେ । ହରିଜନ ସେବକ ସଂଘର ସଭାପତି ଶଙ୍କର କୁମାର ସାନ୍ୟାଲ ଗ୍ରାମାଞ୍ଚଳକୁ ସ୍ୱାବଲମ୍ବୀ କରାଯିବାର
ଆବଶ୍ୟକତା ଉପରେ ଜୋର୍ ଦେଇଥିଲେ । ସୋଆ ବିଶ୍ୱବିଦ୍ୟାଳୟର କୂଳପତି ଡକ୍ଟର ଅଶୋକ କୁମାର ମହାପାତ୍ର, ଉଭୟ ଭିତର ଓ ବାହାରର ଶକ୍ତି ଆମର
ଗଣତନ୍ତ୍ରକୁ ଦୁର୍ବଳ କରିବାରେ ଲାଗିଥିବା ସୂଚାଇ ଏଥିପ୍ରତି ସତର୍କ ଓ ସଚେତନ ରହିବାକୁ ଉପଦେଶ ଦେଇଥିଲେ । ଆୟକର ପ୍ରମୁଖ କମିସନର ମନୋରଞ୍ଜନ
ପାଣିଗ୍ରାହୀ, ଅହିଂସା ଓ ଶାନ୍ତିଦ୍ୱାରା ହାସଲ କରାଯାଇଥିବା ଭାରତୀୟ ସ୍ୱାଧୀନତା ସମଗ୍ର ପୃଥିବୀ ଇତିହାସରେ ବିରଳ ବୋଲି କହିଥିଲେ । ପର୍ଯ୍ୟବେକ୍ଷକର ମୁଖ୍ୟ
ସମ୍ପାଦକ ଡକ୍ଟର ପବିତ୍ର ମୋହନ ସାମନ୍ତରାୟ ଦେଶର ୭୫ତମ ସ୍ୱାଧୀନତା ପାଳନ ଅବସରରେ ଆମର ସଫଳତା ଓ ବିଫଳତା ସମ୍ପର୍କରେ ଆତ୍ମସମୀକ୍ଷା କରିବାକୁ
ମତପ୍ରକାଶ କରିଥିଲେ । ବି.ଓ.ସର ଉପଦେଷ୍ଟା ଧୀରେନ୍ଦ୍ର କର ସ୍ୱାଧୀନତା ସଂଗ୍ରାମରେ ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ବାଜି ରାଉତଙ୍କ ପର୍ଯ୍ୟନ୍ତ
ସଂଗ୍ରାମୀମାନଙ୍କର ଯୋଗଦାନ ସ୍ୱତନ୍ତ୍ର ଥିଲା ବୋଲି ଦର୍ଶାଇଥିଲେ । ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡକ୍ଟର ଅରୁନ୍ଧତୀ ଦେବୀ ଦେଶର ସବୁଠୁ ଦରିଦ୍ରତମ


ବ୍ୟକ୍ତିର ଆଖିରୁ ଲୁହ ପୋଛାଯାଇ ପାରିଲେ ସ୍ୱାଧୀନତାର ଅସଲ ଉଦ୍ଦେଶ୍ୟ ସାକାର ହେବ ବୋଲି ସୂଚାଇଥିଲେ । ‘କମନ୍ ଟାଇମ୍ସ’ର ସମ୍ପାଦକ ସତ୍ୟଜିତ ମହାପାତ୍ର
ଓଡ଼ିଶାର ସୌର୍ଯ୍ୟ, ବିର୍ଜ୍ୟ, ବାଣିଜ୍ୟ, କଳା, ସଂସ୍କୃତି, ସ୍ଥାପତ୍ୟ ଓ ବିଜ୍ଞାନ ସମୃଦ୍ଧ ହୋଇଥିଲେ ହେଁ ଆବଶ୍ୟକୀୟ ପ୍ରଚାର ଓ ପ୍ରସାରର ଅଭାବ ରହିଥିବା ଦର୍ଶାଇ ବିଶ୍ୱ
ଓଡ଼ିଶା ସମାଜ ଏ ଦିଗରେ ଧ୍ୟାନ ଦେବ ବୋଲି ଆଶା ପ୍ରକାଶ କରିଥିଲେ । ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର, ସାରା ବିଶ୍ୱର ଓଡ଼ିଆ ଏକ୍‌ଜୁଟ୍ ହୋଇଥିବା ନେଇ
ଆନନ୍ଦ ପ୍ରକାଶ କରି ଆମର ସ୍ଥାନ ଏକ ନମ୍ବର ବୋଲି ଘୋଷଣା କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ପ୍ରବୋଧ ରାଉତ, ଇତିହାସ ଓ ସାହିତ୍ୟ
ଅଙ୍ଗାଅଙ୍ଗୀଭାବେ ଜଡ଼ିତ ବୋଲି କହି ସ୍ୱାଧୀନତାର ୭୫ତମ ବର୍ଷ ପାଳନରେ ବି.ଓ.ସର ସହଯୋଗ କାମନା କରିଥିଲେ । ଚିତ୍ରତାରକା ସବ୍ୟସାଚୀ ମିଶ୍ର ଓଡ଼ିଶାର
ସର୍ବାଙ୍ଗୀନ ବିକାଶ ନେଇ ବି.ଓ.ସର ପ୍ରୟାସକୁ ସମ୍ପୂର୍ଣ୍ଣ ସହଯୋଗ ଦେବାର ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ବି.ଓ.ସର ବରିଷ୍ଠ ସଦସ୍ୟ ଅକ୍ଷୟ ମହାନ୍ତି ମଧ୍ୟରାତ୍ର
ଅଧିବେଶନରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଲୋଚନାରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡକ୍ଟର ନଳିନୀ ପତି, ଓଡ଼ିଶା ସମାଜ ୟୁକେର
ସାଧାରଣ ସମ୍ପାଦକ ଶିବରଞ୍ଜନ ବିଶ୍ୱାଳ, ନିୟୁଜିଲାଣ୍ଡରୁ ପ୍ରେମ ନେପାକ, ଦକ୍ଷିଣ କୋରିଆରୁ ଡକ୍ଟର ଶିତାଂଶୁ ଶେଖର ନନ୍ଦ, ବାହାରିନ୍‌ରୁ ସୁବାସ ସାହୁ, ଭୁବନେଶ୍ୱରୁ ହୃଷିକେଶ ପାତ୍ର ଓ ଦୁର୍ଗାମାଧବ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସଭା ଆରମ୍ଭରେ ପ୍ରଖ୍ୟାତ ଗାୟିକା ଅନିନ୍ଦିତା ଦାସ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ସୁଦକ୍ଷ ଉପସ୍ଥାପନ ପ୍ରଦୀପ ମହାପାତ୍ର ଓ ଚନ୍ଦନା ଦାସଙ୍କର
ତତ୍ତ୍ୱାବଧାନରେ ‘ରୁଫ୍ ଷ୍ଟେଜ୍‌’ର ସଦସ୍ୟମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କଳାକାରମାନଙ୍କ ମଧ୍ୟରେ ରାଜକିଶୋର ଗୋଚ୍ଛାୟତ,
ନବଜ୍ୟୋତି ଦାସ, ରିଜୁଆନ୍ ଅହମ୍ମଦ, ଇନ୍ଦିରା ସ୍ୱାଇଁ, ତପନ ଜ୍ୟୋତିଷି, ପ୍ରଦ୍ୟୁମ୍ନ ମହାପାତ୍ର, ରୀମା ମିଶ୍ର, ନିହାଲ୍ ଶାହା, ଜେ. ବାଳକୁମାର ଓ ଅଞ୍ଜନ ଦାଶ ପ୍ରମୁଖ
ଅନ୍ତର୍ଭୁକ୍ତ ଥିଲେ । ସମାରୋହର ସ୍ୱତନ୍ତ୍ର ଆକର୍ଷଣ ସ୍ୱନାମଧନ୍ୟ ସଂଗୀତଜ୍ଞ ବୈଷ୍ଣବ କୈଳାସ ଓ ବଲିଉଡ୍ ଗାୟିକା ଚାରୁଲ୍ ସିଂଙ୍କର ସୁମଧୁର ସଙ୍ଗୀତ ପରିବେଷଣ
ଥିଲା । ମହାକାଂକ୍ଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ପୁଷ୍ପାଞ୍ଜଳି ବାରିକ ସମଗ୍ର କାର୍ଯ୍ୟକ୍ରମକୁ ସୁନ୍ଦର ଓ ସୁଚାରୁ ରୂପେ ସଂଯୋଜନା ଓ ସଂଚାଳନା କରିଥିଲେ । ଡିଜିଟାଲ ମଞ୍ଚକୁ
ନନ୍ଦନ ଦ୍ୱିବେଦୀ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ ।
ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ପୂର୍ବତନ ମନ୍ତ୍ରୀ
ଯୁଧୀଷ୍ଠିର ଜେନା, ଶ୍ରୀ ସାହିତ୍ୟର ସମ୍ପାଦକ କୃଷ୍ଣ ନାୟକ, ଓଡ଼ିଶା ସମାଜ ୟୁଏଇର ସଭାପତି ଅମୀୟ ମିଶ୍ର, ସାଧାରଣ ସମ୍ପାଦକ ପ୍ରୀତିଶ ଦାଶ, ନେଦରଲାଣ୍ଡ ଓଡ଼ିଆ
ସମାଜର ସଭାପତି ଶାସ୍ୱତ ପାଢ଼ୀ, ଇଣ୍ଡୋନେସିଆରୁ ଦେବର୍ଶୀ ମଲ୍ଲିକ, ଇଟାଲୀରୁ ଦେବାଶିଷ ଶ୍ରୀଚନ୍ଦନ ,ଲଣ୍ଡନରୁ ସୁକାନ୍ତ ସାହୁ, ନିହାର ସାମନ୍ତରା, କ୍ଷୀରୋଦ ଜେନା, କୃପାନିଧି ବିଶ୍ୱାଳ,ରାଜଲଷ୍ମୀ ପାତ୍ର, ପିତାମ୍ବର ଓ ଅହଲ୍ୟା ବାରିକ,
ବରଦାପ୍ରସନ୍ନ ଦାସ, ପ୍ରୀତମ ନାୟକ, ପ୍ରଶାନ୍ତ ଭୂୟାଁ, ସୋହିନୀ ଚକ୍ରବର୍ତ୍ତୀ, ସରିତା ମିଶ୍ର, ଆଦ୍ୟାସା ଦାସ, ରବୀନାରାୟଣ ବେହେରା, ଅରୁପା ଦାସ, ମାନସୀ ମିଶ୍ର,
ପ୍ରମୋଦ ସୂତାର, ଲଳିତ ପଟ୍ଟନାୟକ, ସୁଜାତା ଚୌଧୁରୀ, ରମାକାନ୍ତ ମହାପାତ୍ର, ଲିପ୍ସା ମହାନ୍ତି, ଡକ୍ଟର ଅଶୋକ ଚୌଧୁରୀ, ଡକ୍ଟର ଅକ୍ଷୟ କୁମାର ନାୟକ,
ସାରଦା ପ୍ରସାଦ ମହାପାତ୍ର, ଲଳିତ କୁମାର ପ୍ରଧାନ, ମନୋଜ ନାୟକ, ସୁବୋଧ ନାରାୟଣ ପାଢ଼ୀ, ଅକ୍ଷୟ ସାମଲ, ଡକ୍ଟର ମନୋଜ ପାଣିଗ୍ରାହୀ, ‘ଫିକି’ର ସଞ୍ଜୀବ
ମହାନ୍ତି ଓ ଡକ୍ଟର ଲକ୍ଷ୍ମୀନାରାୟଣ ପାଢ଼ୀ ପ୍ରମୁଖ ସାମିଲ ଥିଲେ ।

Leave a comment

Your email address will not be published. Required fields are marked *