#Breaking News

ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ: କାହା ସ୍ୱାର୍ଥରେ ସ୍ମାର୍ଟ ସ୍କୁଲ : ବିଦ୍ୟାଳୟରେ ପଢ଼ାଇବା ପାଇଁ ନାହାନ୍ତି ଶିକ୍ଷକ


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ମାର୍ଟ ହେଲା ସ୍କୁଲ। ଆଉ ଗୁଣାତ୍ମକ ଶିକ୍ଷା ପାଇଁ ସବୁପ୍ରକାଶ ଉଦ୍ୟମ କରାଗଲା। ଏଥିପାଇଁ ବିଦ୍ୟାଳୟ ପିଛା ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଲା। ହେଲେ ଶିକ୍ଷକ ଅଭାବ ସମସ୍ୟା ପୂର୍ବ ଭଳି ସମାନ ରହିଲା। ଏହିପରି ଆବଶ୍ୟକ ଶିକ୍ଷକ ନଥାଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟ ରେ ଚାଲିଛି ପାଠପଢ଼ା।ସ୍କୁଲର ସମସ୍ୟା ନେଇ ବୁଡ଼ାଗୁଡା ଗ୍ରାମବାସୀ ଓ ପରିଚାଳନା କମିଟି ପକ୍ଷରୁ ବିଭାଗୀୟ ମନ୍ତ୍ରୀ, ସଚିବ, ଘୁ ଉଦୟଗିରି ବିଧାୟକ, କନ୍ଧମାଳ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଛି । ଏହି ସ୍କୁଲରେ ୨୬୪ ପିଲା ପାଠ ପଢ଼ୁଥିବା ବେଳେ ଦୀର୍ଘ ଦିନ ହେବ ବହୁ ଶିକ୍ଷକ ପଦବୀ ଖାଲି ପଡିଛି। ଏମିତିକି ଏଠାରେ ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଛି। ଏଥିସହ କଳାରେ ଶିକ୍ଷକ ନଥିବା ବେଳେ ବିଜ୍ଞାନରେ ଜଣେ, ଖେଳ ବିଭାଗରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ପିଅନ ପଦବୀ ମଧ୍ୟ ଖାଲି ପଡ଼ିଛି। ଏ ନେଇ ଗ୍ରାମବାସୀ ସ୍କୁଲ କମିଟି ଶିକ୍ଷାମନ୍ତ୍ରୀଙ୍କ ଯାଏ ଅଭିଯୋଗ କରିଥିଲେ ମଧ୍ୟ ଏହାର ସମାଧାନ ହେଉନାହିଁ । ସେହିପରି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଡାଇନିଙ୍ଗି ହଲ ,ଖେଳ ପଡିଆ ,ସ୍କୁଲ ପାଚେରୀ ଲ୍ୟାବ କମ୍ପୁଟର ପାଇଁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଗ୍ରାମବାସୀ କହିଛନ୍ତି l ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଶୌଚାଳୟ ଗୁଡିକୁ ଠିକ ଭାବରେ ଜଳ ଯୋଗାଣ ହୋଇ ନ ଥିବା ମଧ୍ୟ ଅଭିଯୋଗ ହୋଇଛି। ଫଳରେ ଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ବିଦ୍ୟାଳୟର ସମସ୍ୟା ସମାଧାନ କରିବାକୁ ବୁଡ଼ାଗୁଡା ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁ କହିଛନ୍ତି ଯେ, ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ଯୋଗୁ ପାଠପଢ଼ା ବ୍ୟାହତ ହେଉଛି। ଶିକ୍ଷକ ନିଯୁକ୍ତି, ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ନେଇ ବହୁବାର ବିଡିଓ, ଜଳଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀଙ୍କୁ ଅବଗତ କରାଯାଇଛି। କିନ୍ତୁ କେହି ଆମ କଥା ଶୁଣୁନାହନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ନ ଦେଲେ ରାଜରାସ୍ତା କୁ ଓଲ୍ହାଇବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି l

Leave a comment

Your email address will not be published. Required fields are marked *