#Breaking News

ପ୍ରଧାନମନ୍ତ୍ରୀ ସଡକ ଯୋଜନା : ନିମ୍ନ ମାନର କାର୍ଯ୍ୟ ଯୋଗୁଁ ବେହାଲ ହୋଇଛି ଦନେକବାଡ଼ି ଠାରୁ ସିର୍କାବର୍ଗ ରାସ୍ତା


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): ଗାଁ କୁ ରାସ୍ତା ନଥିଲା । ବହୁ ଅଭିଯୋଗ ପରେ ନିର୍ମାଣ ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା । ହେଲେ ରାସ୍ତା ନିର୍ମାଣ ହେବାର ମାତ୍ର ୩ ବର୍ଷ ଯାଇଛି କି ନାହିଁ ରାସ୍ତାର ଅବସ୍ତା ବେହାଲ ହୋଇଛି। କିଛି ସ୍ଥାନରେ ଖାଲଖମା ହେବା ସହ ବଡ଼ ବଡ଼ ଖାଲ ହୋଇଛି। ଫଳରେ ଅଞ୍ଚଳ ବାସୀଙ୍କ ପାଇଁ ଯାତାୟାତ ପୂର୍ବ ଭଳି ଅସୁବିଧା ହେଉଛି। ଏନେଇ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତାର ମରାମତି ହେଉନଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି ।କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ର ଦନେକବାଡ଼ି ଠାରୁ ସିର୍କାବର୍ଗ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାରୁ ଆସିଛି ଏଭଳି ଏକ ଅଭିଯୋଗ । ଏହି ରାସ୍ତା ୩ ବର୍ଷ ତଳେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବର୍ତମାନ ରାସ୍ତାର ଅନେକ ସ୍ଥାନରେ ଖାଲ ଖମା ସହ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି । ବୁଲାଣି ସ୍ଥାନରେ ମେଟାଲ ବାହାରି ରହିଛି । ଯାତାୟାତରେ ନାହିଁ ନଥିବା ଅସୁବିଧା ହେଉଛି । ଉକ୍ତ ରାସ୍ତା ଘାଟି ପାହାଡ ଦେଇ ଯାଇଥିବା ଯୋଗୁଁ ବାଇକରେ ଗଲାବେଳେ ମେଟାଲ ଓ ପିଚୁ ବାହାରିଥିବା ସ୍ଥାନରେ ଦୁର୍ଘଟଣାର ଅଧିକ ଭୟ ରହୁଛି । ଏମିତି କି ଅନେକ ସମୟରେ ଲୋକେ ଦୁର୍ଘଟଣାର ସ୍ୱୀକାର ମଧ୍ୟ ହୋଇଥିବା ନଜିର ରହିଛି । ଉକ୍ତ ରାସ୍ତା ଉପରେ ସିର୍କାବର୍ଗ ପଂଚାୟତ ସମେତ କୋଟଗଡ ବ୍ଲକର ଅନେକ ପଞ୍ଚାୟତ ନିର୍ଭର କରନ୍ତି । ହେଲେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି । ରାସ୍ତା ମରାମତି କରାଯାଉନାହିଁ । ଖାଲ ଖମା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେଉଛି । ଏଣୁ ଯଥାଶୀଘ୍ର ଉକ୍ତ ରାସ୍ତାର ମରାମତି କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।

Leave a comment

Your email address will not be published. Required fields are marked *