ବିକାଶ ଠାରୁ ବହୁ ଦୂରରେ ଅବହେଳିତ ଗାଁ ଲାଣ୍ଡାପାଜୁ: ମୌଳିକ ସୁବିଧାରୁ ବଞ୍ଚିତ ଶତାଧିକ ଗ୍ରାମବାସୀ

Udaya_Labanya | October 5, 2022 | 18 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ଏଭଳି ଗାଁ ରହିଛି ଯେଉଁଠି ଲୋକେ ଆଜି ପର୍ଯ୍ୟନ୍ତ ସର୍ବନିମ୍ନ ମୌଳିକ ସୁବିଧା ପାଉନାହାନ୍ତି। ବିକାଶ କଥା ବହୁ ଦୂରରେ । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର ବେହେରାଗାଁ ପଞ୍ଚାୟତ ଲାଣ୍ଡାପାଜୁ ଗାଁରେ। ଏହି ଲାଣ୍ଡାପାଜୁ ଗ୍ରାମରେ ଦୁଇଟି ସାହି ଅଛି । ଗାଁରେ ପ୍ରାୟ ୬୦ ଘରର ଲୋକ ସଂଖ୍ୟା ୪୦୦ରୁ ଊର୍ଦ୍ଧ୍ୱ ହେବ । ବ୍ଲକ ମୁଖ୍ୟାଳୟ ଠାରୁ ୨/୩ କି.ମି. ଦୂରରେ ବେହେରା ଗାଁ ପଞ୍ଚାୟତ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ୧୬ କି.ମି. ଦୂରରେ ଲାଣ୍ଡାପାଜୁ ଗ୍ରାମ । ଏ ପର୍ଯ୍ୟନ୍ତ ଗାଁକୁ ରାସ୍ତାଟିଏ ନାହିଁ । ପାହାଡ ଏବଂ ନଦୀ ଅତିକ୍ରମ କରି ଗାଁକୁ ଯିବାକୁ ପଡେ। କିଛି ଦିନ ହେବ ଗ୍ରାମକୁ ଯିବା ଲାଗି ପାହାଡ କାଟି ରାସ୍ତା ହେଉଥିଲା।ମାତ୍ର ଲଗାଣ ବର୍ଷା ଯୋଗୁଁ ପାହାଡ କଟା ଯାଇଥିବା ଅନେକ ସ୍ଥାନରେ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି । ଏହାଛଡା ଗାଁକୁ ୭ ରୁ ୮ କି.ମି. ଲମ୍ବି ରହିଥିବା ଚଲା ରାସ୍ତାରେ ମଧ୍ୟ ଅନେକ ସ୍ଥାନରେ ବଡ ବଡ ଗାତ ହୋଇଛି। ଯାହାକୁ ପାର ହୋଇ ଯିବା ସମ୍ଭବ ନୁହେଁ । ଅଧିକ ବର୍ଷା ହେଲେ ପାହାଡ଼ି ନଦୀର ସ୍ରୋତ ପ୍ରଖର ହୁଏ । ନଦୀ ପାର ହେବା ସମ୍ଭବ ହୁଏ ନାହିଁ । ପାଣି କମିବା ଯାଏ ଏହି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼େ। ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଖାଦ୍ୟ ସାମଗ୍ରୀ ମିଳେ ନାହିଁ । ପିଲାମାନେ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ। ରାଶନ ସାମଗ୍ରୀ ଆଣିବାକୁ ହେଲେ ଗାଁରୁ ୧୮ କି.ମି. ଦୂର ଟିକାବାଲି ସହର ଉପରେ ନିର୍ଭର କରିବାକୁ ପଡେ । ପ୍ରବଳ ବର୍ଷା ହେଲେ ଯିବା ସମ୍ଭବ ହୁଏନାହିଁ । ଏହି ସମୟରେ କାହାର ଦେହ ଖରାପ ହେଲେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଗର୍ଭବତୀମାନେ ମେଡିକାଲ ଯାଇପାରନ୍ତି ନାହିଁ l ଏହି ଗ୍ରାମରେ ପ୍ରସବ ବେଳେ ଅନେକ ସମୟରେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ମଧ୍ୟ ଘଟିଥାଏା କାରଣ ଗ୍ରାମକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ l ଅନେକ ସମୟରେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ମଧ୍ୟ ଘଟିଥାଏା କାରଣ ଗ୍ରାମକୁ ଆମ୍ବୁଲାନ୍ସ ଯିବାକୁ ରାସ୍ତା ନାହିଁ । ଭତ୍ତା ଟଙ୍କା ପାଇଁ ହିତାଧିକାରୀଙ୍କୁ ୧୪ କିମି ଦୂର ଟିକବାଲି ଯିବାକୁ ପଡୁଛିା ଗାଁ ରେ ସ୍କୁଲ କିମ୍ବା ଅଙ୍ଗନୱାଡି କେନ୍ଦ୍ର ନାହିଁ । ନିକଟସ୍ଥ ସ୍କୁଲ କହିଲେ ୧୨ କି.ମି ଦୂରରେ ଥିବା ବେହେରା ଗାଁ ପ୍ରାଥମିକ ବିଦ୍ୟାଳୟ ଏବଂ ୧୮ କି.ମି. ଦୂରରେ ଥିବା ଟିକାବାଲି ହାଇସ୍କୁଲ ଏବଂ କଲେଜ ରହିଛି। ପାହାଡିଆ ଖାଲଖମା ଜଙ୍ଗଲି ରାସ୍ତା ଦେଇ ଚାଲିଚାଲି ଯାଇ ଫେରିବା ଅସମ୍ଭବ। ପାଠ ପଢା ପାଇଁ ଗାଁରୁ ବହୁ ଦୂର ଦୂରାନ୍ତରେ ଥିବା ସେବାଶ୍ରମ ସ୍କୁଲ ଭରସା। ଅଳ୍ପ କେତେଜଣ ଛାତ୍ରୀଛାତ୍ର ଆଶ୍ରମରେ ରହି ପଢ଼ା ସାରିବା ପରେ ଗାଁରେ ରହିବାକୁ ବାଧ୍ୟ ହୁଅନ୍ତି। ଆଉ କେତେଜଣ ୧୮ କି.ମି. ଦୂରରେ ଥିବା ଟିକାବାଲି ସ୍କୁଲ, କଲେଜ ଯାଇ ଫେରୁଛନ୍ତି। ଲୋକେ ମହୁଲ, ଗରା ସଂଗ୍ରହ ସହ ଧାନ ଚାଷ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଅନ୍ୟ କୌଣସି ରୋଜଗାର ପନ୍ଥା ନାହିଁ । ଗାଁ ରୁ ୨ କି.ମି. ଦୂର ବିଲ ମଝିର ଚୁଆ ପାଣି ସଂଗ୍ରହ କରି ତାହାକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ଖରାଦିନେ ୫ କି.ମି. ଦୂର ନଦୀରୁ ପାଣି ପଡ଼େ ବୋଲି ଗ୍ରାମର ରମା କହଁର, ସୁଶାନ୍ତ ମଲ୍ଲିକ, ଦିଗମ୍ବର କହଁର, ତପସ୍ୟା କହଁର ପ୍ରମୁଖ ପ୍ରକାଶ କରିଛନ୍ତି l ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି l

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories