ସମଗ୍ର କନ୍ଧମାଳରେ ପ୍ରବଳ ଥଣ୍ଡା ସହ ଘନ କୁହୁଡ଼ି: ଯାତାୟତରେ ବାଧାପ୍ରାପ୍ତ : ପର୍ଯ୍ୟଟକଙ୍କ ଆଗମନ
Udaya_Labanya | November 25, 2022 | 13 views |0 | Breaking News
କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର ରାଜ୍ୟରେ କିଛି ଦିନର ମେଘୁଆ ପାଗ ପରେ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଘନ କୁହୁଡି ସହ ପ୍ରବଳ ଥଣ୍ଡା, ଏଥିରୁ ସମଗ୍ର କନ୍ଧମାଳ ଜିଲ୍ଲା ବାଦ ପଡିନି l ସେଥି ମଧ୍ୟରୁ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ଆଖପାଖ ଅଞ୍ଚଳରେ ମଧ୍ୟ ଶୀତ ଲହରି ଜାରି ରହିଛି। ଗୁରୁବାର ଠାରୁ ଶୀତର ପ୍ରକୋପ ପୁଣି ବୃଦ୍ଧି ପାଇଛି। ଶୁକ୍ରବାର ସକାଳୁ ସାରା ଅଞ୍ଚଳ ଘନ କୁହୁଡ଼ିରେ ଆଛାଦିତ ହୋଇଥିବା ଦେଖିବାକୁ ମିଳିଛି। ଗୁରୁବାର ଦାରିଙ୍ଗବାଡ଼ିରେ ତାପମାତ୍ରା ୧୬.୫ ଡିଗ୍ରୀ ରହିଥିବା ବେଳେ ଶୁକ୍ରବାର ୩.୫ଡିଗ୍ରୀ ତାପମାତ୍ରା ହ୍ରାସ ପାଇ ୧୩ ଡିଗ୍ରୀରେ ପହଁଚିଛି । ଗୋଟିଏ ଦିନରେ ୩.୫ ଡିଗ୍ରୀ ତାପମାତ୍ରା ହ୍ରାସ ପାଇଛି । ଆଗକୁ ଆହୁରି ତାପମାତ୍ରା କମିବା ନେଇ ପୂର୍ବାନୁମାନ କରାଯାଉଛି ।ଦାରିଙ୍ଗବାଡ଼ିରେ ଘନ କୁହୁଡ଼ି ଫଳରେ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଦିନ ୯ ଟା ପର୍ଯ୍ୟନ୍ତ କୁହୁଡ଼ି ଛାଡୁନାହିଁ । ମୁହଁକୁ ମୁହଁ ଦେଖିହେଉ ନାହିଁ । ସେପଟେ ଥଣ୍ଡା ସହ କୁହୁଡ଼ିର ମଜା ନେଉଛନ୍ତି ପର୍ଯ୍ୟଟକ । ଏଥିସହ ସକାଳ ହେଲେ ପ୍ରାତଃ ଭ୍ରମଣରେ ବାହାରି ଯାଉଛନ୍ତି ବହୁ ଲୋକ । ସକାଳ ହୋଇଗଲେ ଚା ଦୋକାନରେ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଗହଳି ରହିବା ସହ ଖଟି ଜମୁଛି । ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ସହ ନିଆଁର ସାହାରା ନେବା ଆରମ୍ଭ କରି ଦେଲେଣି । ଏଭଳି ଭାବେ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦାରିଙ୍ଗବାଡ଼ିର ହିଲଭିୟୁ ପାର୍କ, ନେଚର ପାର୍କ, କଫି ବଗିଚା, ଦାରିଙ୍ଗବାଡ଼ିର ମିଡିୟୁବାନ୍ଦା ଜଳ ପ୍ରପାତ, କିରୀକୁଟିର ଲଭର୍ସ ପଏଣ୍ଟ, ଏମୁ ପକ୍ଷୀ ପାର୍କ, ଗ୍ରୀନବାଡ଼ିର ସନସେଟ ପଏଣ୍ଟ ଭଳି ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ପର୍ଯ୍ୟଟକଙ୍କ ଆଗମନ ଜାରି ରହିଛି ।